ମୋ ଗାଁ ରେ ସନ୍ଧ୍ୟା

ସନ୍ଧ୍ୟା ଆଗମନେ ପକ୍ଷୀ ଫେରେ ନୀଡେ
ଆକାଶେ ଉଠଇ ଜହ୍ନ,
ଜ୍ୟୋତ୍ସ୍ନା ବିଧୌତ ରଜନୀ ରାଣୀର
ଚୋରୀ କରି ନିଏ ମନ ॥୦॥

ଭାସି ଆସୁଥାଏ ମନ୍ଦିର ବେଢାରୁ
ଘଣ୍ଟ ମର୍ଦ୍ଦଳର ସ୍ଵର,
ଅଗରୁ ଚନ୍ଦନ ବାସର ମହକେ
ପୁରିଉଠେ ଗାଆଁ ଘର ॥
ନବାକ୍ଷରୀ ଛନ୍ଦେ ଶୁଣି ଭାଗବତ
ପବିତ୍ର ହୁଅଇ କର୍ଣ୍ଣ,
ସନ୍ଧ୍ୟା ଆଗମନେ ପକ୍ଷୀ ଫେରେ ନୀଡେ
ଆକାଶେ ଉଠଇ ଜହ୍ନ ॥୧॥

ନୂଆବୋଉ ଆମ ଚଉରାମୂଳରେ
ଜାଳିଦିଏ ସଞ୍ଜବତୀ
ଆଈ ମାଆ ଖୋଲେ ଗପପେଡି ତା’ର
ଶୁଣୁଥାଏ ବସି ନାତି
ସରଳ ଜୀବନେ ସହରୀ ସପନ
ଜିଣିପାରେ ନାହିଁ ମନ
ସନ୍ଧ୍ୟା ଆଗମନେ ପକ୍ଷୀ ଫେରେ ନୀଡେ
ଆକାଶେ ଉଠଇ ଜହ୍ନ ॥୨॥

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *