କେମିତି ଭୁଲିବି

କେମିତି ଭୁଲିବି ମୋ ଗାଆଁ ମାଟିକୁ
ହୃଦୟଠୁ ପାଏ ଭଲ
ଏନ୍ତୁଡିଶାଳରେ ପ୍ରଥମ ପରଶ
କୋଳ ତା ଅମୂଲ ମୂଲ

ସେ ମାଟି କୋଳରେ ବଢିଅଛି ମୁହିଁ
ଅମୃତ ପରଶ ପାଇ
କେମିତି ଭୁଲିବି ମୋ ଜନମ ମାଟି
ଯେତେଦିନ ଥିବି ଜିଇଁ

ତା କୋଳରେ ବସି ଚାଟଶଳୀ ଘରେ
ଶିଖୁଥିଲି ବର୍ଣ୍ଣମାଳା
କେମିତି ଭୁଲିବି ମୋ ଗାଆଁର କୋଳ
ଅତୀତର ସେହି ବେଳା

କେତେ ଖେଳ କୁଦ ତା ଛାତି ଉପରେ
କେବେ ସେ କରିନି ରାଗ
କେମିତି ଭୁଲିବି ତା ଛାତି କଷ୍ଟକୁ
ସିଏ ମୋ ସବୁଠୁ ଆଗ

କେତେ ଜାନି ଯାତ୍ରା ମେଳା ମଉଛବ
କରେ ଆୟୋଜନ ସଦା
କେମିତି ଭୁଲିବି ତା ମନ କଥାକୁ
ସଦା କରୁଥିବି ଶ୍ରଦ୍ଧା

ଯେଉଁଠି ଥିଲେ ବି ସିଏ ମୋ ଜୀବନ
ହାତଠାରି ଡାକୁଥାଏ
କେମିତି ଭୁଲିବି ତା ସୁଖ ଦୁଃଖକୁ
ଜୀବନଟା ଥିବା ଯାଏ

ମୋ ନାମେ ଲେଖିଛି ତିନିହାତ ଜାଗା
ତା କୋଳେ ଶୋଇବା ପାଇଁ
କେମିତି ଭୁଲିବି ତା ପ୍ରେମ ମୂଲକୁ
ପବିତ୍ର ତାହାର ଭୁଇଁ

ଚିର ନିଦ୍ରା ଯିବି ତାହାରି କୋଳରେ
ପାଇବି ପରମ ଶାନ୍ତି
କେମିତି ଭୁଲିବି ମୋ ଗାଆଁ ମାଟିକୁ
ତା କୋଳେ ଲଭିବି ମୁକ୍ତି

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *