ଜୁନ୍ ମାସର ଟାଣ ଖରା । ନୂଆଦିଲ୍ଲୀର ଯନ୍ତର ମନ୍ତର ଧୀରେ ଧୀରେ ଏକ ଆନ୍ଦୋଳନର କେନ୍ଦ୍ରସ୍ଥଳୀ ପାଲଟି ଯାଇଥିଲା । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ହଜାର ହଜାର ଛାତ୍ରଛାତ୍ରୀ ସେଠାରେ ଏକତ୍ରିତ ହୋଇଥିଲେ । ସେମାନଙ୍କ ହାତରେ କୌଣସି ପତାକା ନଥିଲା, ଥିଲା କେବଳ ପୁସ୍ତକ । ସେମାନଙ୍କ ଆଖିରେ କ୍ରୋଧ ନଥିଲା, ଥିଲା କେବଳ ନ୍ୟାୟର ଦାବି ।
ସେହି ଭିଡ଼ ଭିତରେ ଥିଲା ଓଡ଼ିଶାର ଖୋରଧା ଜିଲ୍ଲାର ଗୋଟିଏ ଛୋଟ ଗାଁର ପୁଅଟିଏ ‘ଅଭିଷେକ ’ । ଅଭିଷେକର ବାପା ଜଣେ ଚାଷୀ । ଦୁଇ ଏକର ଜମିରୁ ଯାହା ଆୟ ହୁଏ, ସେଥିରେ ପରିବାର ଚଳାଇବା କଷ୍ଟକର । ତଥାପି ପୁଅ ଡାକ୍ତର ହେବ ବୋଲି ବାପା ନିଜ ଜୀବନର ସମସ୍ତ ସ୍ୱପ୍ନକୁ ପଛକୁ ଠେଲି ଦେଇଥିଲେ । ଅଭିଷେକ ଥିଲା ଖୁବ ମେଧାବୀ । ସକାଳୁ ରାତି ପର୍ଯ୍ୟନ୍ତ ପାଠପଢାରେ ନିଜକୁ ବ୍ୟସ୍ତ ରଖୁଥିଲା । ତାର ମା’ କହୁଥିଲେ-
“ବାପା, ତୁ ଡାକ୍ତର ହେଲେ ଆମ ଗାଁ’ର ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରିବୁ” ।
ଅଭିଷେକ ହସି ହସି କହୁଥିଲା- “ମା’, ତୁମ କଥା ମୁଁ କେବେ ଭୁଲିବିନି” ।
କିନ୍ତୁ ନିୟତିର ଖେଳ ବଡ ବିଚିତ୍ର । ପରୀକ୍ଷାକୁ ନେଇ ଦେଶବ୍ୟାପୀ ବିବାଦ ଆରମ୍ଭ ହେଲା । ଅନେକ ଛାତ୍ରଛାତ୍ରୀ ନିଜକୁ ନିଜ ପ୍ରତାରିତ ମନେ କଲେ । ସେମାନଙ୍କ ମଧ୍ୟରୁ ଅଭିଷେକ ମଧ୍ୟ ଥିଲା ଜଣେ । ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଲା ଅଭିଷେକ । ଘରୁ ବାହାରିବା ବେଳେ ମା’ ତା ହାତରେ ମାତ୍ର ପାଞ୍ଚଶହ ଟଙ୍କା ଗୁଞ୍ଜି ଦେଇ କାନ୍ଦ କାନ୍ଦ ହୋଇ କହିଥିଲେ-
“ମୋ ପାଖରେ ଆଉ ଅଧିକ ପଇସା ନାହିଁରେ ବାପା… ମୋ ପାଖରେ କେବଳ ଏତିକି ଥିଲା” ।
ଅଭିଷେକ ମା’ର ହାତ ଧରି ଟିକେ ବୁଝେଇ ଦେଇଥିଲା-
“ମନ ଦୁଃଖ କରନା ମା, ମୁଁ ଜିତିକି ଫେରିବି” ।
ଦିନ ପରେ ଦିନ ଗଡି ଚାଲିଲା । ଜନ୍ତର ମନ୍ତରରେ ଆନ୍ଦୋଳନ ତୀବ୍ର ରୁ ତୀବ୍ରତର ହେଲା । ଖରା, ବର୍ଷା, ଓ ଲାଠିଚାର୍ଜର ଭୟ, କିଛି ବି ହେଲେ ଛାତ୍ରମାନଙ୍କ ମନୋବଳ ଭାଙ୍ଗିପାରୁ ନଥିଲା । ଧୀରେ ଧୀରେ ପାଖରୁ ଟଙ୍କା ପଇସା ସବୁ ଶେଷ ହେବାକୁ ଲାଗିଲା । ପେଟର ଭୋକ ମେଣ୍ଟେଇବା ପାଇଁ ଖାଦ୍ୟ ସମସ୍ୟା ଦେଖା ଦେଲା । ଅନେକ ଛାତ୍ରଙ୍କ ପକେଟରେ ଆଉ ଟଙ୍କା ନଥିଲା । କେହି ଦିନକୁ ଥରେ ଖାଉଥିଲେ, କେହି କେବଳ ପାଣି ପିଇ ରହି ଯାଉଥିଲେ । ଅଭିଷେକର ପାଖରେ ମଧ୍ୟ କିଛି ପଇସା ଆଉ ନଥିଲା । ଦିନେ ସନ୍ଧ୍ୟାରେ ସେ ଖାଲି ପେଟରେ ରାସ୍ତା କଡ଼ରେ ବସିଥାଏ । ହଠାତ୍ ଜମାଟୋ ର ଜଣେ ଡେଲିଭରି ବୟ ର ଡାକରେ ସେ ଚମକି ପଡି ପଛକୁ ଚାହିଁଲା-
– ଆପଣଙ୍କ ପାଇଁ ଅର୍ଡର ।
– ମୋ ପାଇଁ?
– ହଁ ସାର୍ ।
ଗୋଟିଏ ବଡ଼ ଖାଦ୍ୟ ପାର୍ଶଲ୍ ତା ହାତକୁ ବଢେଇ ଦେଇ ଡେଲିଭରି ବୟ ଟି ଚାଲିଗଲା । ସେ ଭାବିଲା ପାର୍ସଲ ଟି ବୋଧେ ଭୁଲରେ ପଳେଇ ଆସିଛି । କିନ୍ତୁ ପାର୍ସଲ ଟି ଉପରେ ତାର ନାମ ଲେଖାଥିଲା ସତ କିନ୍ତୁ କିଏ ଏହି ପାର୍ସଲ ପଠେଇଛନ୍ତି ତାହା ଗୋପନୀୟ ଥିଲା । ଅଭିଷେକ ଆଶ୍ଚର୍ଯ୍ୟ ହୋଇ ପାର୍ସଲ ଟିକୁ ଖୋଲି ଦେଖେ ତ- ଭିତରେ ଥିଲା ଭାତ, ଡାଲି, ପନିର, ରୁଟି, ମିଠା ଏବଂ ପାଣି ବୋତଲଟିଏ । ଆଉ ଗୋଟିଏ ଛୋଟ ଚିଠିଟିଏ । ଚିଠିଟିକୁ ଖୋଲି ପଢିବାକୁ ଆରମ୍ଭ କଲା-
“ତୁମର ଏହି ଲଢ଼େଇ ନ୍ୟାୟ ପାଇଁ । ଦୟାକରି ଖାଇ ନିଅ” ।
ପ୍ରେରକଙ୍କର କୌଣସି ନାମ ଲେଖା ନଥିଲା । କେବଳ ଏତିକି । ପେଟର ଅସହ୍ୟ ଭୋକକୁ ଦମନ କରିବାପାଇଁ ସେ ଦିନ ଅଭିଷେକ ସେହି ଖାଦ୍ୟ ସବୁକୁ ଖାଇବା ସମୟରେ କାନ୍ଦି ପକାଇଲା । କାରଣ ତାର ମା’ର କଥା ମନେ ପଡ଼ିଯାଇଥିଲା । ପରଦିନ ପୁଣି ଖାଦ୍ୟ ଆସିଲା । ତା ପରଦିନ ମଧ୍ୟ । କେବଳ ଅଭିଷେକ ପାଇଁ ନୁହେଁ, ଶହ ଶହ ଛାତ୍ରମାନଙ୍କ ପାଖକୁ ହଜାର ହଜାର ପାର୍ସଲ ଆସି ପହଞ୍ଚୁଥିଲା । କିନ୍ତୁ ଏହି ଖାଦ୍ୟ କିଏ ପଠାଉଛି, ପଠାଉଥିବା ଲୋକଙ୍କ ନାମ କେହି ଜାଣିପାରୁ ନଥିଲେ ।
ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ- “କିଏ ଏହି ଏହି ଅଜଣା ଦେବଦୂତ ?”
ଗୋଟିଏ ରାତିରେ ପ୍ରବଳ ବର୍ଷାରେ ଛାତ୍ରମାନଙ୍କ ଚାଦର ଭିଜିଗଲା.. ପୁସ୍ତକ ଭିଜିଗଲା..। ଅନେକ ଥଣ୍ଡାରେ ଥରୁଥିଲେ । ଠିକ ସେହି ସମୟରେ ଗୋଟିଏ ପରେ ଗୋଟିଏ ଭ୍ୟାନ ଆସି ପହଞ୍ଚିଲା ଆନ୍ଦୋଳନସ୍ଥଳରେ । ଭିତରେ ଥିଲା ଖାଦ୍ୟ, ପାଣି, ଚାଦର ଏବଂ ରେନ-କୋଟ । ଏବଂ ପ୍ରତ୍ୟେକ ପ୍ୟାକେଟରେ ଗୋଟିଏ ସମାନ ବାର୍ତ୍ତା ଲେଖାଥିଲା- “ସମଗ୍ର ଭାରତବର୍ଷ ତୁମ ସହିତ ଅଛି” । ସେହି ରାତିରେ ଅନେକ ଛାତ୍ରଛାତ୍ରୀଙ୍କ ଆଖିରୁ ଧାର ଧାର ଲୁହ ଗଡି ଆସୁଥିଲା । କାରଣ ସେମାନେ ପ୍ରଥମ ଥର ଅନୁଭବ କରୁଥିଲେ- ଅଜଣା ଅଶୁଣା ଲୋକମାନେ ମଧ୍ୟ ନିଜଲୋକ ପରି କେତେ ଭଲପାଇପାରନ୍ତି ।
ଆନ୍ଦୋଳନର ଶେଷ ସପ୍ତାହ । ଅଭିଷେକର ମା’ ଧୀରେ ଧୀରେ ଅସୁସ୍ଥ ହୋଇ ପଡୁଥିଲେ । ଅଭିଷେକକୁ କେବଳ ଫୋନ କରି କହୁଥିଲେ- “ବାପା, ମୁଁ ଭଲ ଅଛି । ତୁ ବ୍ୟସ୍ତ ହେବୁନି” ।
କିନ୍ତୁ ଅଭିଷେକ ବୁଝିପାରୁଥିଲା ମାତୃତ୍ଵର ବେଦନାକ୍ତ ଭାଷାକୁ । ସେହି ରାତିରେ ପୁଣି ଆସି ପହଞ୍ଚିଲା ଆଉ ଏକ ପାର୍ସଲ । ଭିତରେ ଖାଦ୍ୟ ସହ ଥିଲା ଗୋଟିଏ ଛୋଟ କାଗଜ । ସେଥିରେ ଲେଖାଥିଲା-
“ତୁମ ମା’ ତୁମ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ତୁମେ ଭାଙ୍ଗି ପଡ଼ନି” ।
କାଗଜଟିକୁ ପଢ଼ି ଅଭିଷେକ ଆଉ ନିଜର କୋହ ସମ୍ଭାଳି ପାରିଲା ନାହିଁ । ସେ ଆକାଶକୁ ଚାହିଁ କାନ୍ଦି ଉଠିଲା.. ଆଉ ଖୁବ ଜୋରରେ ଚିତ୍କାର କରିବାକୁ ଲାଗିଲା-
“ତୁମେ କିଏ? ମୋ ବିଷୟରେ ଏତେ କଥା କିପରି ଜାଣିଲ?” ହେଲେ କୌଣସି ଉତ୍ତର ଆସିଲା ନାହିଁ ।
କିଛିଦିନ ପରେ ଯନ୍ତର ମନ୍ତରରୁ ଆନ୍ଦୋଳନ ଶେଷ ହେଲା । ସରକାର ଛାତ୍ରମାନଙ୍କର ସମସ୍ତ ଦାବି ମାନି ନେଲେ । ଦେଶର ଶିକ୍ଷାମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଲେ । ସମସ୍ତ ଛାତ୍ର ମାନେ ନିଜ ନିଜ ଘରକୁ ଫେରିବାକୁ ଲାଗିଲେ । ଅଭିଷେକ ମଧ୍ୟ ଷ୍ଟେସନକୁ ଚାଲି ଚାଲି ଯାଉଥିଲା । ଠିକ୍ ସେତେବେଳେ ଜଣେ ବୃଦ୍ଧ ଡେଲିଭରି କର୍ମଚାରୀ ତାକୁ ପଛରୁ ଡାକିଲେ-
– ବାବୁ, ଏହା ତୁମ ପାଇଁ ଶେଷ ପାର୍ସଲ” ।
ହାତ ବଢେଇ ପାର୍ସଲ ଟି ଆଣି ଅଭିଷେକ ଖୋଲି ଦେଖିଲା- ଭିତରେ କେବଳ ଥିଲା ଗୋଟିଏ ଚିଠି । ସେଥିରେ ଲେଖାଥିଲା-
“ଆମେ କିଏ, ତାହା ତୁମପାଇଁ ଜାଣିବା ଜରୁରୀ ନୁହେଁ । ଜରୁରୀ ହେଉଛି, ତୁମେ କେବେ ବି ଭୁଲିବନି ଯେ ଭାରତ ମାଟିରେ ଆଜି ମଧ୍ୟ ମାନବିକତା ବଞ୍ଚିଛି । ଆସନ୍ତାକାଲି ଯଦି କେବେ ତୁମ ସାମ୍ନାରେ କୌଣସି ଭୋକିଲା ଛାତ୍ରଟିଏ ଠିଆ ହୁଏ, ତାକୁ ମୁଠେ ଖାଇବାକୁ ଦେବ । ସେହିଦିନ ଆମେ କେବଳ ତୁମ ଭିତରେ ବଞ୍ଚି ରହିବୁ।” ଚିଠିର ତଳେ ପ୍ରେରକଙ୍କର କୌଣସି ନାମ ନଥିଲା । କେବଳ ଥିଲା ଦୁଇଟି ଶବ୍ଦ- “ଜଣେ ଭାରତୀୟ”
ଅଭିଷେକର ଆଖିରୁ ଧାର ଧାର ଲୁହ ଗଡ଼ି ପଡୁଥିଲା । ସେ ଚିଠିଟିକୁ ଖୁବ ଜୋରରେ ଛାତିରେ ଚାପି ଧରିଲା । ସେଦିନ ସେ ବୁଝିଲା- ଆନ୍ଦୋଳନ କେବଳ ଦାବିର ଲଢ଼େଇ ନୁହେଁ । ଏହା ଥିଲା ମଣିଷ ମଣିଷ ମଧ୍ୟରେ ଅଦୃଶ୍ୟ ସମ୍ପର୍କର ଏକ କାହାଣୀ । ଯେଉଁଠାରେ ଲକ୍ଷ ଲକ୍ଷ ଅଜଣା ହୃଦୟ, ନିଜ ନାମ ପ୍ରକାଶ ନକରି, ନିଜ ମୁହଁ ନଦେଖାଇ, କେବଳ ଗୋଟିଏ ଖାଦ୍ୟ ଥାଳି ମାଧ୍ୟମରେ କହିଥିଲେ- “ପିଲାମାନେ, ତୁମେ ଏକା ନୁହଁ.. ଆମେ ବି ତୁମ ସହିତ ଅଛୁ” ।
This story evokes patriotism and enthusiasm.
ଅତି ସୁନ୍ଦର ଗଳ୍ପ l ମନକୁ ଛୁଇଁ ଦେଲା l
Fantastic story you have written Mr. Pattanaik.
ଗଳ୍ପଟି ବହୁତ୍ ବଢିଆ ହେଇଛି । ଆପଣଙ୍କ ଭାବନାର ଗଭୀରତା ଏହି ଗଳ୍ପରୁ ମାପି ହେଉଛି । ଅପେକ୍ଷାରେ ରହିଲି ପରବର୍ତ୍ତୀ ଗଳ୍ପ ପାଇଁ ।
Sangate
Badhia lagila story.mana ku chhuin gala.
Thanks