୧୫୦୦ ବର୍ଷ ତଳର ଐତିହାସିକ ସମୃଦ୍ଧ ସହର

ପ୍ରାଚୀନ କଳିଙ୍ଗରେ ଶୈଳୋଦ୍ଦଭବ ରାଜବଂଶର ରାଜଧାନୀ ବାଙ୍କଡାଗଡ ଏକଦା ସମୃଦ୍ଧ ସହର ଥିଲା । ଆଧୁନିକ ଓଡିଶାର ଖୋରଧା ଜିଲ୍ଲା ଅଧିନସ୍ଥ ବାଣପୁର ନିକଟରେ ଥିବା ଶାଳିଆ ଡ୍ୟାମ ନିକଟରରୁ ନୀଳାଦ୍ରିପ୍ରସାଦ ରାସ୍ତାରେ ୧୨ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ପ୍ରାଚୀନ ଐତିହାସିକ ଦୁର୍ଗର ଧ୍ୱଂସାବଶେଷ ରହିଅଛି । ଏହି ପ୍ରାଚୀନ ଦୁର୍ଗ ସନ୍ନିକଟ ସ୍ଵପ୍ନେଶ୍ଵର ଶିବ ମନ୍ଦିର ପ୍ରତ୍ନତାତ୍ଵିକ ଖନନରୁ ଆବିଷ୍କୃତ ହୋଇଅଛି । ପ୍ରତ୍ନତତ୍ତ୍ୱବିତ୍ମାନେ ମତ ଦିଅନ୍ତି, ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରୁ ସପ୍ତମ ଶତାବ୍ଦୀ ମଧ୍ୟରେ ଏହି ଶୈଳୋଦ୍ଦଭବ ରାଜବଂଶର ଶାସକମାନେ ଖୁବ ଶକ୍ତିଶାଳୀ ଥିଲେ । ଅନୁମାନ କରାଯାଏ, ଏହି ସମୟରେ ପ୍ରଥମକରି ମନ୍ଦିର ନିର୍ମାଣ କଳା ଆରମ୍ଭ ହୋଇଥିଲା । ସେହି ସମୟରେ ମନ୍ଦିର ନିର୍ମାଣ ଶୈଳୀ ଭିନ୍ନ ପ୍ରକାରର ଥିଲା । ମନ୍ଦିର ଗୁଡିକ ସଂପୂର୍ଣ୍ଣ ଆଚ୍ଛାଦିତ ନହୋଇ ଆମ୍ପିଥିଏଟର ଭଳି ନିର୍ମାଣ କରାଯାଉଥିଲା । ବାଙ୍କଡାଗଡର ମୁଖ୍ୟ ଦେବତା ବୋଧହୁଏ ଭଗବାନ ଶିବ ଥିଲେ । ଏବଂ ଏହିମନ୍ଦିରର ଗଠନ ଶୈଳୀକୁ ଅନୁଧ୍ୟାନ କଲେ ଜଣାଯାଏ, ଭଗବାନ ଶିବ ଥିଲେ କେନ୍ଦ୍ରୀୟ ଦେବତା ଏବଂ ଭଗବାନ ଶିବଙ୍କୁ ସାତୋଟି କ୍ଷୁଦ୍ର ମନ୍ଦିରରେ ବିରାଜମାନ ଥିବା ଦେବତାମାନେ ଘେରି ରହିଥିଲେ । ମନ୍ଦିର ସ୍ଥାପତ୍ୟ କଳା ଶୈଳୀରୁ ଜଣାଯାଏ, ଏହା ଅଷ୍ଟାୟତନ ନିର୍ମାଣ ଶୈଳୀରେ ନିର୍ମିତ୍ତ ହୋଇଥିଲା । ଅନୁମାନ କରାଯାଏ, ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ଶୈଳୋଦ୍ଦଭବ ରାଜବଂଶର ଶାସକ ପୁଲିନ୍ଦ ସେନ୍ ଙ୍କ ରାଜତ୍ଵ ସମୟରେ ଚୀନ୍ ପରିବ୍ରାଜକମାନେ ଭାରତ ଭ୍ରମଣରେ ଆସିଥିଲେ । ସେହି ସମୟରେ ବୋଧହୁଏ ଏହି କୀର୍ତ୍ତିରାଜିର ନିର୍ମାଣ କରାଯାଇଥିବାର ଅନୁମାନ କରାଯାଏ ।

କିଛି ବର୍ଷ ପୂର୍ବେ ଏହି ସ୍ଥାନର ପ୍ରତ୍ନତାତ୍ଵିକ ଖନନରୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧୀକ୍ଷକ ବି. ରୟ କହିଛନ୍ତି, “ଶିବ ମନ୍ଦିର ପରିସରରେ ଥିବା ସେହି ଯୁଗର ସୌନ୍ଦର୍ଯ୍ୟପୂର୍ଣ୍ଣ ଖୋଦିତ ମୂର୍ତ୍ତିଗୁଡ଼ିକ ଏବଂ ନିକଟସ୍ଥ ରାଜପ୍ରାସାଦ ତତ୍କାଳୀନ ନିର୍ମାଣଶୈଳୀ ଓ ସ୍ଥାପତ୍ୟ କଳାର ଅନେକ କଥା କହିଥାଏ ।“ ପ୍ରତ୍ନତତ୍ତ୍ୱବିତ୍ ଅଶ୍ୱିନୀ ସତ୍ୟପାଠୀଙ୍କ ମତରେ, “ବାଙ୍କଡାଗଡର ପ୍ରାଚୀନ ରାଜପ୍ରାସାଦ ଓ ନିକଟସ୍ଥ ଶିବ ମନ୍ଦିରର ପ୍ରସ୍ତର ଖୋଦିତ କାର୍ଯ୍ୟଗୁଡ଼ିକ ସେମାନଙ୍କ ସିଦ୍ଧତା ବିଷୟରେ ଅନେକ କଥା କହିଥାଏ । ସେହି ସମୟରେ ମନ୍ଦିର ନିର୍ମାଣ କଳା ଏକ ଗଠନମୂଳକ ପର୍ଯ୍ୟାୟରେ ଥିଲା, ଖୋଦିତ ଭାବରେ କିପରି ତିଆରି ହୋଇଥିଲା, ଆମେ ଏହି ମୂର୍ତ୍ତିଗୁଡ଼ିକ ପାଇଁ ଗର୍ବି ଅନୁଭବ କରୁଛୁ ।”

ଏଠାରୁ ଆବିଷ୍କୃତ ହୋଇଥିବା ଏକ ଶହରୁ ଉର୍ଦ୍ଧ ମୂର୍ତ୍ତି ଗୁଡିକ ମନ୍ଦିର ନିକଟରେ ଏକ ଛୋଟ ଗୃହରେ ସଂରକ୍ଷିତ କରି ରଖାଯାଇଅଛି । ସରକାର ଏହି ଦିଗରେ ତୀକ୍ଷଣ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଏଠାରେ ଏସବୁ ନିମନ୍ତେ ଏକ ସଂଗ୍ରହାଳୟର ଆବଶ୍ୟକତା ସହିତ ଏହି କୀର୍ତ୍ତିରାଜି ତଥା ଏହି ସ୍ଥାନ ସମ୍ପର୍କରେ ଗବେଷଣା ଓ ଅଧ୍ୟୟନ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ବାଲୁଗାଁ ଓ ବାଣପୁର ଅଞ୍ଚଳ କେବଳ ଚିଲିକା, କାଳିଜାଇ ଓ ଭଗବତୀ ପୀଠ ନିମନ୍ତେ ପ୍ରସିଦ୍ଧି ଲାଭ କରିଥିବା ବେଳେ, ଆଜକୁ ପ୍ରାୟ ୧୫୦୦ ବର୍ଷ ତଳର ଏକ ଐତିହାସିକ କୀର୍ତ୍ତିରାଜି ଆଜି ଲୋକଲୋଚନର ଆଢୁଆଳରେ ରହି ପ୍ରାଚୀନ ଓଡିଶାର ଗର୍ବ, ଗୌରବ ଓ ଐତିହ୍ୟକୁ ଆମେ ଅବହେଳିତ କରି ଚାଲୁଥିବା ମନେହୁଏ । ନିଶ୍ଚିତ ଭାବେ ଏହି ପ୍ରାଚୀନ ବାଙ୍କଡଗଡ ଜାତୀୟସ୍ତରରେ ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବାକୁ ସବୁ ସ୍ଵାକ୍ଷର ବହନ କରେ ।

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *