ରହସ୍ୟମୟ ତ୍ରିଭୁଜ

ଓଡିଶା ବାହାରେ ବଡଭାଇଙ୍କ ପାଖରେ ରହି ପାଠ ପଢୁଥିବା ସମୟରେ ଅନେକ ଗୁଡିଏ ଭଲ ଭଲ ବହି ସବୁ ପଢିବାର ସୁଯୋଗ ମତେ ମିଳୁଥିଲା । ବିଶେଷ କରି ବିଶ୍ଵ ବ୍ରହ୍ମାଣ୍ଡ ସହିତ ସମ୍ପର୍କିତ କୌଣସି ରହସ୍ୟାବୃତ ବିଷୟବସ୍ତୁ ଗୁଡିକ ନଜରକୁ ଆସିଲେ ମୋ ମନର ଜିଜ୍ଞାସା ଦ୍ଵିଗୁଣିତ ହୋଇଯାଏ । ଦିନେ ଆମେରିକାର ବିଶିଷ୍ଟ ଲେଖକ Charles Berlitz ଙ୍କ ରଚିତ ପୁସ୍ତକ ‘The Bermuda Triangle’ ଉପରେ ମୋ ନଜର ପଡିଲା । ଯେଉଁ ପୁସ୍ତକଟିରେ ଲେଖକ ବର୍ମୁଡା ଟ୍ରାଙ୍ଗଲ ପଥ ଦେଇ ଭ୍ରମଣ କରୁଥିବାର ଅଭିଜ୍ଞତା ସମ୍ପର୍କରେ ଅନେକ ଗୁଡିଏ ରହସ୍ୟମୟ କଥାଗୁଡିକୁ ଲେଖିଛନ୍ତି । ବହିଟିର ପୃଷ୍ଠା ଗୁଡିକୁ ଓଲଟାଇ ଚାଲିଥିବାବେଳେ ଗୋଟିଏ ପୃଷ୍ଠାରେ ହଠାତ ମୋ ନଜର କିଛି ସମୟ ପାଇଁ ସ୍ଥିର ହୋଇଗଲା । ଯେଉଁଠି ଲେଖାଥିଲା, Columbus wrote in his log diaries about erratic compass readings, strange lights in the distance, patches of white water and even a large ball of fire crashing into the sea.

ଆଗରୁ ସ୍କୁଲ ଇତିହାସ ବହିରେ ବି ପଢିଥିଲି, 1492 ମସିହାରେ ଯେତେବେଳ ଖ୍ରୀଷ୍ଟଫର କଲମ୍ବସ ଆଟଲାଣ୍ଟିକ ମହାସାଗରରେ ଆମେରିକା ଯାତ୍ରା କରୁଥିଲେ, ସେତେବେଳେ ସେ ଆଟଲାଣ୍ଟିକ ମହାସାଗର ମଧ୍ୟରେ କିଛି ଦୂରରେ ଦେଖିବାକୁ ପାଇଥିଲେ ଏକ ନୀଳ ଆଲୋକ ଶିଖାର ଗୋଲକ । ସେଠାରେ ଦିଗ ନିର୍ଣ୍ଣୟ ପାଇଁ ତାଙ୍କ କମ୍ପାସ ଅକାମି ହୋଇପଡିଥିଲା । Charles Berlitz ମଧ୍ୟ ତାଙ୍କ ପୁସ୍ତକରେ ଏହି କଥା ଉଲ୍ଲେଖ କରିବା ସହ ଆହୁରି ବିସ୍ତ୍ରୁତ ତଥ୍ୟର ଉପସ୍ଥାପନ କରିଛନ୍ତି । ସେଠାରେ ସମୁଦ୍ରର ପାଣି ସ୍ଫଟିକ ଖଣ୍ଡ ଭଳି ଦେଖା ଯାଉଥିଲା । ସର୍ଗାସମ ନାମକ ସମୁଦ୍ର ଶିଉଳି ସେଠାରେ ଏତେ ମାତ୍ରାରେ ଭର୍ତ୍ତି ହୋଇ ରହିଥିଲା ଯେ, ସେଥିରେ ନୌକା ଚାଲିବା କଷ୍ଟକର ଥିଲା । ଭୟଭୀତ ହୋଇ ନୌକା କୁ ଅନ୍ୟ ଦିଗକୁ ମୁହାଁଇଥିଲେ । ଆଟଲାଣ୍ଟିକ ମହାସାଗରର ଏହି ସ୍ଥାନ ସମ୍ପର୍କରେ ଖ୍ରୀଷ୍ଟଫର କଲମ୍ବସଙ୍କ ଦ୍ଵାରା ମାନବ ସମାଜକୁ ଏହାଥିଲା ପ୍ରଥମ ରିପୋର୍ଟ ।

1918 ମସିହାରେ 542 ଫୁଟ ଦୈର୍ଘ୍ୟ ବିଶିଷ୍ଟ USS Cyclops ନାମକ ଏକ ଜହାଜ ବ୍ରାଜିଲ ରୁ ଆମେରିକାର ବାଲ୍ଟିମୋର ଅଭିମୁଖେ ଦଶ ହଜାର ଟନ ମାଙ୍ଗାନିଜ ଧାତୁ ଓ ତିନିଶହରୁ ଉର୍ଦ୍ଧ୍ଵ ଯାତ୍ରୀଙ୍କୁ ବହନ କରି ବର୍ମୁଡା ଟ୍ରାଙ୍ଗଲ ଅଞ୍ଚଳ ଅତିକ୍ରମ କରୁଥିବା ସମୟରେ କଣ୍ଟ୍ରୋଲ ରୁମ ସହିତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା । ଜାହାଜଟି ନିଜର ଗନ୍ତବ୍ୟସ୍ଥଳରେ ଆଉ ପହଞ୍ଚିନାହିଁ । ଏହି ଘଟଣା ଆଜି ବି ରହସ୍ୟ ଘେରରେ । 1945ରେ “ଫ୍ଲାଇଟ୍‌ 19” ନାମକ ପାଞ୍ଚ ଗୋଟି ନେଭି ବିମାନ ଫୋର୍ଟ୍‌ ଲୌଡରଡେଲ୍‌ରୁ ଅଭ୍ୟାସ ମିଶନ୍‌ରେ ଆଟଲାଣ୍ଟିକ ମହାସାଗରର ଏହି ଅଞ୍ଚଳ ଉପରେ ଅଭ୍ୟାସ ଉଡାଣ କରୁଥିବାର ଏକ ଘଣ୍ଟା ପରେ କମ୍ପାସ୍‌ ଗୁଡିକ ହଠାତ ଅକାମି ହୋଇ ପଡିଲା । ଧବଳ କୁହୁଡି ଓ ତୀବ୍ର ପବନ ଦ୍ଵାରା ‘ଆମେ ଦିଗହରା ହୋଇ ଯାଇଛୁ’ ବୋଲି କେବଳ ରେଡିଓ ସନ୍ଦେଶ ମିଳିଥିଲା କଣ୍ଟ୍ରୋଲ ସେଣ୍ଟରକୁ । କିଛି ସମୟ ପରେ ସବୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ନୌସେନାର ପାଞ୍ଚ ଗୋଟି ନିଖୋଜ ବିମାନକୁ ଖୋଜିବା ପାଇଁ ବାହାରିଥିବା ଉଦ୍ଧାରକାରୀ ବିମାନ ଗୁଡିକ ମଧ୍ୟରୁ ଠିକ କୋଡ଼ିଏ ମିନିଟ୍ ପରେ ରେଡିଓମ୍ୟାନଙ୍କ ରାଡାରରୁ ଗୋଟିଏ ଉଦ୍ଧାରକାରୀ ବିମାନ ଅଦୃଶ୍ୟ ହୋଇ କେଉଁଆଡେ ନିଖୋଜ ହୋଇଗଲା । ତଟରକ୍ଷୀ ବାହିନୀ ସାରା ରାତି ବଞ୍ଚିଥିବା ଲୋକଙ୍କୁ ଖୋଜୁଥିଲା, ଏବଂ ପରଦିନ ଏକ ବିଶାଳ ଅନୁସନ୍ଧାନ ଆରମ୍ଭ ହେଲା, ଯେଉଁଥିରେ ପ୍ରାୟ 300 ବିମାନ, ଚାରୋଟି ନୌସେନା ଯୁଦ୍ଧ ଜାହାଜ, 18 ଗୋଟି ତଟରକ୍ଷୀ ବାହିନୀ ଜାହାଜ, ଅନେକ ବୁଡ଼ାଜାହାଜ ଏବଂ ଶହ ଶହ ବ୍ୟକ୍ତିଗତ ବିମାନ ଏବଂ ବୋଟଗୁଡିକ ସାମିଲ ଥିଲେ । ସମୁଦ୍ର ମଧ୍ୟରେ 3,80,000 ବର୍ଗ ମାଇଲ୍ ପରିମିତ ଅଞ୍ଚଳ ଖୋଜାଖୋଜି ସତ୍ଵେ କିଛି ବି ସନ୍ଧାନ ମିଳିଲା ନାହିଁ । ଏହି ନେଭି ବିମାନ ଗୁଡିକର ନିଖୋଜ ଅଦ୍ୟାବଧି ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ ଚକିତ ଓ ସେତିକି ରହସ୍ୟମୟ କରି ରଖିଛି । ଏହା ପରଠୁ ଏହି ସ୍ଥାନକୁ ନେଇ ଗବେଷକ ଓ ବିଶେଷଜ୍ଞମାନେ ସେବେଠାରୁ ଏହି ରହସ୍ୟ ଖୋଜିବାକୁ ଚେଷ୍ଟା ଜାରି ରଖିଛନ୍ତି ।

Charles Berlitz ଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ଲେଖକମାନେ ବର୍ମୁଡା ତ୍ରିଭୁଜକୁ ନେଇ ଅନେକ କାହାଣୀ ବ୍ୟାଖା କରିଛନ୍ତି । ଯେମିତିକି ଏଲିଏନ୍ ଜଗତ ସହ ଏହି ସ୍ଥାନର ସମ୍ପର୍କ କିମ୍ବା ଏହା ଏକ ବିପରୀତମୁଖୀ ଆକର୍ଷଣ କ୍ଷେତ୍ର ହୋଇଥାଇପାରେ କିମ୍ବା ଏହି ସାମୁଦ୍ରିକ ସ୍ଥଳରେ ସ୍ଫଟିକ ଶକ୍ତି ସକ୍ରିୟ ଥିବାରୁ ବିମାନଗୁଡ଼ିକରେ ଯାନ୍ତ୍ରିକ ତ୍ରୁଟି ସୃଷ୍ଟି ହେଉଥାଇପାରେ ବୋଲି ଅନୁମାନ କରାଯାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ, ବର୍ମୁଡା ତ୍ରିଭୁଜ ପୃଥିବୀର ଦୁଇଟି ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନ ଯେଉଁଠାରେ ଏକ ଚୁମ୍ବକୀୟ କ୍ଷେତ୍ର ରହିଥାଇପାରେ । ଯେଉଁଥିପାଇଁ ଏଠାରେ କମ୍ପାସ ଗୁଡିକ କାମ କରିନଥାଏ । ମାଇକ୍ରୋବ୍ରଷ୍ଟ କ୍ଲାଉଡ୍ ବମ୍, ଗଲ୍ଫ ଷ୍ଟ୍ରିମ୍ ଏବଂ ସମୁଦ୍ର ତଳେ ଥିବା ପ୍ରାକୃତିକ ଜଳପ୍ରପାତ କିମ୍ବା ସମୁଦ୍ର ତଳୁ ମିଥେନ ଗ୍ୟାସ ଉଦଗୀରଣରୁ ଏହି ରହସ୍ୟମୟ ଘଟଣାମାନ ସଂଗଠିତ ହୋଇଥାଇପାରେ ।

ତଟରକ୍ଷୀ ବାହିନୀର କହିବା ଅନୁଯାୟୀ, ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ କୌଣସି ବିମାନ କିମ୍ବା ଜାହାଜର କ୍ଷତି କୌଣସି ଭୌତିକ କାରଣ ବ୍ୟତୀତ ଅନ୍ୟ କୌଣସି କାରଣରୁ ହୋଇଥିବା ଅନୁମାନ କରିହେଉ ନାହିଁ । ପ୍ରକୃତିର ଏହି ବିଚିତ୍ର ସୃଷ୍ଟିରେ ବାର୍ମୁଡା ତ୍ରିଭୁଜ ଆଜି ବି ରହସ୍ୟମୟ ହୋଇ ରହିଛି ।

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *