ଜଣେ ଉତ୍ତମ କର୍ତ୍ତୁପକ୍ଷ

ଜଣେ ଉତ୍ତମ କର୍ତ୍ତୁପକ୍ଷ, ପରିଚାଳକ ଅଥବା ବସ ହେବା ଦ୍ଵାରା ଅଧସ୍ତନ କର୍ମଚାରୀ ମାନଙ୍କର ମନୋବଳ ବୃଦ୍ଧି ହେବା ସହ କମ୍ପାନୀ ବା କାର୍ଯ୍ୟାଳୟର ଉନ୍ନତ୍ତି ସାଧନ ହୋଇଥାଏ । ନିହାତି ପକ୍ଷେ ଜଣେ ଉତ୍ତମ ବସ ହେବା ନିମନ୍ତେ ସମସ୍ତେ ଚେଷ୍ଟା କରିବା ଉଚିତ । ଜଣେ ମହାନ ବସ ହେବାର ତରିକା ସମସ୍ତଙ୍କୁ ଜଣା ନଥାଏ । କୌଣସି କାର୍ଯ୍ୟାଳୟର ସର୍ବୋଚ୍ଚ ଅଧିକାରୀ, କର୍ତ୍ତୁପକ୍ଷ ବା ବସ ଯଦି ନକରାତ୍ମକ ଭାବନାର ବଶବର୍ତ୍ତୀ ହୁଅନ୍ତି, କ୍ରୋଧିତ ବା ଚିଡିଚିଡା ସ୍ଵଭାବର ହୋଇଥାନ୍ତି, କାର୍ଯ୍ୟାଳୟର ପ୍ରଶାସନିକ ଖସଡାକୁ ସଠିକ ଭାବେ ବୁଝି ନଥାନ୍ତି, ଏବଂ ଅଧସ୍ତନ କର୍ମଚାରୀ ମାନଙ୍କୁ ସଠିକ ଭାବେ ଶୁଣିବାକୁ ଓ ବୁଝିବାକୁ ଚେଷ୍ଟା କରିନଥାନ୍ତି ଏବଂ ଅଧସ୍ତନ କର୍ମଚାରୀମାନଙ୍କ ମଧ୍ୟରେ ପାତର ଅନ୍ତର ମନୋଭାବ ପୋଷଣ କରନ୍ତି, ତେବେ କର୍ମଚାରୀମାନଙ୍କ ମନୋବଳ ଉପରେ କ୍ଷତି ପହଞ୍ଚାଇ ଥାଏ । କର୍ତ୍ତୁପକ୍ଷଙ୍କ ଏତାଦୃଶ ଆଚରଣ କମ୍ପାନୀ ବା କାର୍ଯ୍ୟାଳୟର କାର୍ଯ୍ୟଧାରା ଓ ଉତ୍ପାଦକତାକୁ ପ୍ରଭାବିତ କରିଥାଏ ।

ଅଧିକାଂଶ ଦେଖାଯାଏ, ଅନ୍ୟ ଲୋକଙ୍କ ସାମନାରେ ଉଚ୍ଚ ଅଧିକାରୀ ମାନେ ଅଧସ୍ତନ କର୍ମଚାରୀ ମାନଙ୍କୁ ଚିତ୍କାର କରି ଗାଳି ଗୁଲ୍ଲଜ କରିଥାନ୍ତି । ଯାହାଫଳରେ ଅଧସ୍ତନ କର୍ମଚାରୀଟି ଏକ ଖରାପ ବସ ବା କର୍ତ୍ତୁପକ୍ଷଙ୍କୁ ମୁକାବିଲା କରିବାକୁ ବାଧ୍ୟ ହୁଏ । ଅଯଥା ଚାପରେ ତା’ର ମନୋବଳ ଭୁଷୁଡି ପଡିବା ସହ ଅସହଯୋଗ ବୃଦ୍ଧି ପାଏ । କୌଣସି କାର୍ଯ୍ୟାଳୟ, ସେ ସରକାରୀ ହେଉ ଅଥବା ବେସରକାରୀ ହେଉ, ଯଦି ଉଚ୍ଚ କର୍ତ୍ତୁପକ୍ଷଙ୍କ ଉଚ୍ଚାରଣ ଓ ଆଚ୍ଚରଣରେ ଶାଳୀନତା ସହ ସ୍ନେହ, ସୌହାର୍ଦ୍ଦ୍ୟ, ଉତ୍ସାହ ଓ ଅନୁଶାସନ ଠିକ ନଥାଏ, ତେବେ ସେଠାରେ ଏକ ଅସନ୍ତୁଳିତ ବାତାବରଣ ସୃଷ୍ଟି ହୁଏ । ଏହି ସମସ୍ୟାକୁ ଏଡାଇବା ପାଇଁ ଜଣେ ଉତ୍ତମ କର୍ତ୍ତୁପକ୍ଷ ବା ବସ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାରଣ ଜଣେ କର୍ମଚାରୀ ତା’ ଜୀବନର ଏକ ତୃତୀୟାଂଶ ସମୟ ନିଜ କର୍ମକ୍ଷେତ୍ରରେ ହିଁ ନିର୍ବାହ କରିଥାଏ । ଦୈନନ୍ଦିନ ଜୀବନରେ ଅଧିକାଂଶ ସମୟ ତା’ର କର୍ମକ୍ଷେତ୍ରରେ ଅତିବାହିତ ହୁଏ । ତେଣୁ ସେଠାରେ ଏକ ମନୋଜ୍ଞ, ସ୍ନେହପୂର୍ଣ୍ଣ ଏବଂ ଅନୁଶାସନପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ନିମନ୍ତେ ଜଣେ ଉତ୍ତମ କର୍ତ୍ତୁପକ୍ଷ ବା ବସ ଙ୍କ ବୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେଉଁ ପରିବେଶ ଜଣେ କର୍ମଚାରୀକୁ କର୍ମଠ ହେବାର ଖୋରାକ ଯୋଗାଇଥାଏ, ଏଭଳି ଏକ ମଜାଳିଆ ପରିବେଶ କାମ କରିବାକୁ ଉତ୍ସାହିତ କରିବା ସହ ଉତ୍ପାଦକତା ବୃଦ୍ଧିରେ ସହାୟକ ହୋଇଥାଏ ।

‘ଆମେ’ ବନାମ ‘ସେମାନେ’ ଭାବନାଠାରୁ ଜଣେ କର୍ତ୍ତୁପକ୍ଷ ନିବୃତ୍ତ ରହିବା ଉଚିତ । ଟିମ ଲିଡରସିପ ଦକ୍ଷତା ନଥିଲେ ଜଣେ ଉତ୍ତମ କର୍ତ୍ତୁପକ୍ଷ ବା ବସ କଦାପି ହୋଇପାରନ୍ତି ନାହିଁ । ଜଣେ ସଫଳ କର୍ତ୍ତୁପକ୍ଷ, ପରିଚାଳକ ଅଥବା ବସ ହେବା ନିମନ୍ତେ ଯେଉଁ ଦକ୍ଷତା ଓ ଗୁଣବତ୍ତାର ଆବଶ୍ୟକ ହୋଇଥାଏ, ତାହାର କେତୋଟି ମୁଖ୍ୟ ଆକଳନ ଏହି ଆଲେଖ୍ୟରେ ଉଲ୍ଲେଖ କରାଯାଇଛି, ଯାହା ଜଣେ ଉତ୍ତମ ପରିଚାଳକ ବା ବସ ସୃଷ୍ଟି କରିବା ନିମନ୍ତେ ସାମାନ୍ୟ ସହାୟକ ହୋଇପାରେ ।

ପ୍ରତ୍ୟେକ ଅନୁଷ୍ଠାନ ବା ସଂସ୍ଥା ଗୁଡ଼ିକ ପାଇଁ ଏକ ସ୍ପଷ୍ଟ କାର୍ଯ୍ୟ-ଖସଡା ବା କାର୍ଯ୍ୟ-ଧାରା ରହିଥାଏ । ଏହାକୁ ପରିଚାଳିତ କରିବାପାଇଁ ଭିନ୍ନ ଭିନ୍ନ ପ୍ରକାରର କର୍ମଚାରୀମାନେ ନିୟୋଜିତ ହୋଇଥାନ୍ତି । ସେମାନେ ଯେଉଁ ଯେଉଁ କାର୍ଯ୍ୟ ସମ୍ପାଦନ କରନ୍ତି ସେଗୁଡିକୁ ଜଣେ ବସ ନିହାତି ଭାବେ ବୁଝିବା ଓ ଅନୁଧ୍ୟାନ କରିବା ଆବଶ୍ୟକ । ଯାହାଦ୍ଵାରା କର୍ମଚାରୀମାନଙ୍କୁ ଜଡିତ ଥିବା କାର୍ଯ୍ୟରେ ଅଧିକରୁ ଅଧିକ ସଫଳତା ହାସଲ ନିମନ୍ତେ ସେମାନଙ୍କ ମନରେ କାର୍ଯ୍ୟ କରିବାର ଉତ୍ସାହ ସୃଷ୍ଟି ହେବା ସହ କାର୍ଯ୍ୟାଳୟକୁ ଏହାର ଲକ୍ଷ୍ୟ ହାସଲ ଦିଗରେ ସାହାଯ୍ୟ କରେ ।

ପ୍ରତ୍ୟେକ ଅନୁଷ୍ଠାନ ବା ସଂଗଠନର ସଫଳତା ନିମନ୍ତେ ଏକ ବ୍ୟବସାୟିକ ରଣନୀତି ପ୍ରସ୍ତୁତ କରିବା ଦିଗରେ ଜଣେ ବସ ଙ୍କ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ । ଅଧସ୍ତନ କର୍ମଚାରୀମାନେ ସଂଗଠନର ମିଶନକୁ କିଭଳି ସମର୍ଥନ କରନ୍ତି, ପ୍ରତ୍ୟେକ କାର୍ଯ୍ୟ ଦିବସରେ ସେମାନଙ୍କ କାର୍ଯ୍ୟଧାରାର ଏକ ସ୍ପଷ୍ଟ ରେଖାଚିତ୍ର ସହ ସେମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ । କର୍ମଚାରୀ ମାନଙ୍କ ଉପରେ ଥିବା କାର୍ଯ୍ୟଭାର ଗୁଡିକର ସୁଚାରୁ ସମ୍ପାଦନା ଓ ସ୍ଵଛ କାର୍ଯ୍ୟଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ବିଚାର ଆଲୋଚନା, ପ୍ରଶିକ୍ଷଣ ଓ କର୍ମଶାଳା ଆଦିର ଆୟୋଜନ କରିବା ଉଚିତ । ଏହାଦ୍ୱାରା କର୍ମଚାରୀ ମାନଙ୍କ ଠାରୁ ସ୍ଵଛ ଓ ନିର୍ଭୁଲ କାର୍ଯ୍ୟଦକ୍ଷତାର ଆଶା ସ୍ଥିର କରାଯାଇପାରେ । ଯାହାଫଳରେ କର୍ମଚାରୀ ଜଣଙ୍କ ଯେଉଁ କାର୍ଯ୍ୟଭାର ଗୁଡିକୁ ଧାରଣ କରିଥାନ୍ତି, ସେହି ଦିଗରେ ତାଙ୍କ ଲକ୍ଷ୍ୟ କେନ୍ଦ୍ରୀଭୂତ ହେବ । ଦାୟିତ୍ୱରେ ଥିବା ନିରୀକ୍ଷକ ସମ୍ପୃକ୍ତ କର୍ମଚାରୀଙ୍କ ସହ ବିଭିନ୍ନ ବର୍ତ୍ତାଳାପ ଓ ଆଲୋଚନା ମାଧ୍ୟମରେ କର୍ମଚାରୀଙ୍କ ଦାୟିତ୍ୱବୋଧ ଓ ଭୂମିକା ବିଷୟରେ ସ୍ପଷ୍ଟ କରିପାରିବେ । ଯାହାଫଳରେ ନିର୍ଦ୍ଧିଷ୍ଟ କାର୍ଯ୍ୟଟି ସୁଚାରୁରୂପେ ସମ୍ପାଦିତ ହୋଇପାରିବ । କର୍ମଚାରୀମାନେ ନିଜ ଉପରେ ଥିବା କାର୍ଯ୍ୟଭାରକୁ କେତେ ପୂରଣ କରୁଛନ୍ତି ତାହା ଉପରେ କର୍ମଚାରୀମାନେ ନିରନ୍ତର ମତାମତ ଆବଶ୍ୟକ କରନ୍ତି । ଯେତେବେଳେ ସେମାନେ ଦକ୍ଷତାର ସହ ଭଲ କାମ କରୁଛନ୍ତି, ସେତେବେଳେ ସେମାନଙ୍କୁ ସାବାସୀ, ପ୍ରଶଂସା ଓ ପୃରସ୍କୃତ କରିବା ଉଚିତ ।

କର୍ମଚାରୀମାନେ ଯଦି ସୁଚାରୁରୂପେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରୁଛନ୍ତି, ତେବେ ଏହାକୁ ଉଲ୍ଲେଖ କରନ୍ତୁ । ଯଦି ସେମାନଙ୍କ କାର୍ଯ୍ୟଶୈଳୀକୁ ବଦଳାଇବା ଆବଶ୍ୟକ ପଡୁଥାଏ, ତେବେ ସେମାନଙ୍କୁ ସଚେତନ ହେବା ପାଇଁ ଉପଦେଶ ଦିଅନ୍ତୁ । ଯଦି କୌଣସି କର୍ମଚାରୀ ଅନୁଷ୍ଠାନର ଉପଭୋକ୍ତା ଅଥବା ଗ୍ରାହକ ସେବାକୁ ଠିକରେ ପାଳନ କରୁନାହାଁନ୍ତି ସେମାନଙ୍କୁ ବିଧିବଦ୍ଧ ତାରିକାରେ ତାଗିଦ କରନ୍ତୁ । ଯଦି କର୍ତ୍ତୁପକ୍ଷ ବା ବସ ଫୋନରେ ଉପଭୋକ୍ତା ଅଥବା ଗ୍ରାହକଙ୍କ ପ୍ରତି କର୍ମଚାରୀଙ୍କ ଅଶାଳୀନ ବ୍ୟବହାର ବିଷୟରେ ଶୁଣନ୍ତି, ତେବେ ସେମାନଙ୍କୁ ଏହାକୁ ସୂଚାଇ ଦେଇ ଗ୍ରାହକଙ୍କ ସହ ଯୋଗାଯୋଗ କରିବା ପାଇଁ ସେମାନଙ୍କୁ ଏକ ଉତ୍ତମ ଉପାୟରେ ପ୍ରଶିକ୍ଷଣ ଦିଅନ୍ତୁ ।

ଜଣେ ଉତ୍ତମ ବସ୍ ଜଣେ କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏବଂ ସେମାନେ କାର୍ଯ୍ୟରେ ନଥିବାବେଳେ କ’ଣ କରନ୍ତି ତାହା ପଚାରିବାକୁ ସମୟ ନେବା ଉଚିତ । ଯଦି ଆପଣ ଜଣେ କର୍ମଚାରୀଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସେମାନଙ୍କ ପିଲାମାନଙ୍କ ବିଷୟରେ ପଚାରନ୍ତୁ । ସେମାନଙ୍କ ରୁଚି ଇତ୍ୟାଦି ବିଷୟରେ ଆଲୋଚନା କରନ୍ତୁ । ବ୍ୟକ୍ତିଗତ ଅଭିଜ୍ଞତା ଗୁଡିକୁ ନିଜ କର୍ମଚାରୀ ମାନଙ୍କ ମଧ୍ୟରେ ବାଣ୍ଟନ୍ତୁ । ଯେତେବେଳେ ଜଣେ ବସ ନିଜର ରିଅଲ୍ ଲାଇଫ୍ ସଂଘର୍ଷଗୁଡିକ କର୍ମଚାରୀ ମାନଙ୍କ ଗହଣରେ ଅଂଶୀଦାର କରନ୍ତି, ଏହା କର୍ମଚାରୀଙ୍କ ଜୀବନ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଉଦାହରଣ ସ୍ୱରୂପ, ଯଦି ଜଣେ ବସ୍ ପଡ଼ୋଶୀ ସହିତ ଥିବା ବିବାଦକୁ କର୍ମଚାରୀ ମାନଙ୍କ ସହ ଅଂଶୀଦାର କରନ୍ତି, ଏବଂ କିପରି ବିବାଦର ସମାଧାନ କରନ୍ତି, ଏହା ଏକ ଅତିରିକ୍ତ ଶିକ୍ଷାର ସୁଯୋଗ ପ୍ରଦାନ କରେ । ଏଭଳି ଆଲୋଚନା କର୍ମଚାରୀଙ୍କୁ ସେମାନଙ୍କ ବସ ଙ୍କ ବ୍ୟକ୍ତିଗତ ଜୀବନର ଆଦର୍ଶ ଆଡକୁ ଅନୁପ୍ରାଣିତ କରିଥାଏ ।

ଜଣେ ସଫଳ ବସ କହନ୍ତି “ଯଦି ତୁମେ କାମରେ ଖୁସି ମଜା କରୁନାହଁ, ତେବେ ତୁମେ ଭୁଲ୍ କାମରେ ଅଛ ।” ମଜାଳିଆ କାର୍ଯ୍ୟକଳାପ, ଇଭେଣ୍ଟ, ଏବଂ କର୍ମଚାରୀଙ୍କ ପାଇଁ ସଂଗଠିତ ବଣଭୋଜି ଓ ପ୍ଲେ-ଟାଇମ୍ ଆଦି ଅନ୍ତର୍ଭୂକ୍ତ କରିବା ଦ୍ଵାରା କର୍ମଚାରୀ ମାନଙ୍କ ମଧ୍ୟରେ କାର୍ଯ୍ୟ କରିବାର ଆନ୍ତରିକତା ସୃଷ୍ଟି ହୋଇଥାଏ । ଏକତା ସୂତ୍ରରେ ସମସ୍ତଙ୍କୁ ଆବଦ୍ଧ କରିବା ସମ୍ଭବ ହୋଇଥାଏ । ଏଭଳି କାର୍ଯ୍ୟକ୍ରମ ଦ୍ଵାରା କର୍ମଚାରୀ ମାନଙ୍କ ଦୃଷ୍ଟିକୋଣକୁ ଖୁବ ସହଜରେ ବୁଝି ହୋଇଥାଏ । ସେମାନଙ୍କ ମତାମତ ଦ୍ଵାରା କାର୍ଯ୍ୟକ୍ଷେତ୍ରରେ ଥିବା ଅସୁବିଧା ଗୁଡିକୁ ଖୁବ ସହଜରେ ଠାବ କରିହୁଏ । କର୍ମଚାରୀମାନେ ଭଲ କାମ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକୁ ଯାଆନ୍ତି । ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ ସମ୍ପାଦନକୁ ଅନୁଶୀଳନ କରି ଭଲ କାମ ନିମନ୍ତେ ପୁରସ୍କୃତ କରାଯିବା ଉଚିତ । ସେମାନଙ୍କ କାର୍ଯ୍ୟ କରିବା ପାଇଁ ସଠିକ ଉପକରଣ ଏବଂ ତାଲିମ ଦିଆଯାଏ ଏବଂ ଏକ ଭଲ କାମ କରିବା ପାଇଁ ପୁରସ୍କୃତ କରାଯାଏ, ସେମାନେ ନିଶ୍ଚିତ ଭାବରେ କର୍ମକ୍ଷେତ୍ର ସହିତ ଜଡିତ ରହି ସଠିକ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି । ଏଭଳି ପରିବେଶ ସୃଷ୍ଟି କରିବା, ଯାହା କେବଳ ଜଣେ ଉତ୍ତମ କର୍ତ୍ତୁପକ୍ଷ ବା ବସ ଙ୍କ ଉପରେ ନିର୍ଭର କରେ ।

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *