ନୀରବ ବସନ୍ତ

ନୀରବି ଯାଇଛି ବସନ୍ତ
ଶୁଭୁନି କୋଇଲିର ସେ ସୁରିଲା ଗୀତ,
ଅଭିମାନୀ ପାଲଟିଛି ଶୀତ,
ଜରାବ୍ୟାଧିରେ ଜର୍ଜରିତ ଶରତ ।

ବର୍ଷାରେ ହଜିଛି ଶ୍ରାବଣ
ପକ୍ଷାଘାତରେ ସଢୁଛି ବେଙ୍ଗୁଲୀ ନାନି,
ନେପଥ୍ୟରୁ ଶୁଭୁଛି ପ୍ରକୃତିର ଉତ୍ପାତ
ସବୁଜ ବନାନୀର କ୍ଳାନ୍ତ ଅବୟବରେ
ଆଜି ଅସହାୟତାର ଗ୍ଳାନି ।

ନିଦାଘର ଝାଞ୍ଜିରେ ଜଳୁଛି ଜୀବନ
ବୃନ୍ତଚ୍ୟୁତ ପୁଷ୍ପର ଅଲୋଡା ମହକ
ଛୁଇଁ ପାରୁନି ଭ୍ରମିତ ଭ୍ରମରର ମନ,
ଶୁଷ୍କ ଜଳାଶୟର ଦୀପଦାଣ୍ଡିରେ
ଦିକ ଦିକ ଜଳୁଛି ହୁତାଶନର ବହ୍ନି
ସତେ ଯେମିତି ମନେହୁଏ
ଅବଶ୍ୟମ୍ଭାବୀ ଧ୍ଵଂସର ଏକ ବିଜ୍ଞାପନ ।

ଦିଗନ୍ତ ବିସ୍ତାରୀ ପୃଥିବୀର କୋହ
ତୁଟାଇ ସାରିଛି ବଞ୍ଚିବାର ସବୁ ମୋହ
ପଞ୍ଚ ମହାଭୁତଙ୍କ ବିକଟାଳ ନାଦରେ
ଥରି ଯାଉଛି ଆଜି ଏ ରକ୍ତ ମାଂସର ଦେହ ।

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *