ପ୍ରଗତିର ଡିଣ୍ଡିମ

ସ୍ନେହ, ପ୍ରେମ, ଶାନ୍ତି ଓ ମୈତ୍ରୀ ହେଉଛି ବଞ୍ଚିବାର ଚରମ ରାହା । ଏସବୁ ବ୍ୟତୀତ ଜୀବନଟା ଖୁବ ଅସାର ଓ ମରୁଭୁମି ସଦୃଶ । ଏପରିକି ପଶୁ ପକ୍ଷୀ ମାନଙ୍କ ନିକଟରେ ବି ଏହି ଭାବ ଦେଖିବାକୁ ମିଳେ । ମଣିଷ ନିମନ୍ତେ ଏହାର ଅତ୍ୟନ୍ତ ଅବଶ୍ୟକତା ରହିଛି, କାରଣ ମଣିଷ ସର୍ବଦା ସାମାଜିକ ଜୀବନ ନିର୍ବାହ କରିଥାଏ । ଏହା ହେଉଛି ଭାବ ଆଦାନ ପ୍ରଦାନ ତଥା ସୁସ୍ଥ ସାମାଜିକ ବସତିର ଏକ ଆବଶ୍ୟକୀୟ ଉପାଦାନ । ନଚେତ ଜୀବନ, ପରିବାର ଓ ସମାଜ ବିଷମୟ ଲାଗିଥାଏ । ଯାହା ନିକଟରେ ଏହି ପ୍ରବୃତ୍ତିର ଅଭାବ ଦେଖିବାକୁ ମିଳେ, ତାକୁ ଆମେ ଅସାମାଜିକ ବୋଲି ଧରି ନେଇଥାଉ ।

ଯଦି ଆମେ ଏହି ପ୍ରବୃତ୍ତିର ସୋପାନ ଗୁଡିକୁ ବିଶ୍ଳେଷଣ କରିବା, ତେବେ ଅନୁଭବ କରିପାରିବା ଏହାର ସଙ୍କୁଚିତ ପରିଧିକୁ । ପରିପକ୍ଵ ବୟସରେ ପଦାର୍ପଣ କରିଥିବା ଜଣେ ମଣିଷ ନିଶ୍ଚୟ ଅନୁଭବ କରିପାରୁଥିବ, ଏହି ପ୍ରବୃତ୍ତିରେ ପରଳ ପକାଇଆସୁଥିବା ସ୍ଵାର୍ଥପରତାକୁ ଓ ଉଦ୍ଭଟ ମାନସିକାତର ବିସ୍ତାରିତ କାୟାକୁ । ଏହା କହିବାର ଯଥାର୍ଥ ଏହିକି, ଆପଣ କିଛି ମୂହୁର୍ତ୍ତ ନୀରବ ମୁଦ୍ରାରେ ନିଜ ଜୀବନର ଅନେକ ବର୍ଷ ତଳକୁ ଫେରିଯାଇ ଅବଲୋକନ କରନ୍ତୁ ନିଜ ଜୀବନଶୈଳୀକୁ, ସାମାଜିକ ପରିବର୍ତ୍ତନକୁ ଏବଂ ସମୟ ସହିତ ଖାପଖୁଆଇ ଚାଲିଥିବା ଆପଣଙ୍କ ପରିବର୍ତ୍ତିତ ଚିନ୍ତାଧାରାକୁ । ଅନେକ ମତ ପୋଷଣ କରନ୍ତିଯେ, ବୈଜ୍ଞାନିକ ପ୍ରଗତିରେ ବଳି ପଡିଯାଇଛି ସେଦିନର ସେଇ ସାମାଜିକ ସ୍ନେହ, ପ୍ରେମ ଓ ଆତ୍ମୀୟତାର ଭାବ ବନ୍ଧନ, ଭାଇଚାରାର ସମ୍ଭାଷଣ । କେହି କେହି ବି ଏହାର ବିରୋଦ୍ଧ କରି ଅସୁୟାଭାବ ପୋଷଣ ପୂର୍ବକ ପ୍ରଶ୍ନ କରନ୍ତିଯେ, “ଏହି ପ୍ରେମ ଭାବର ଶିଥିଳତା ଏବଂ ଏହାର ପରିବର୍ତ୍ତିତ ରୂପ ପାଇଁ ବୈଜ୍ଞାନିକ ପ୍ରଗତିକୁ କାହିଁକି ଦାୟୀ କରାଯାଉଛି ?”

ନଦୀକୂଳରେ ଗଢି ଉଠିଥିବା ସେଦିନର ସେଇ ଆଦି ମାନବ ସଭ୍ୟତା ଆଉ ଆଜିର ସଭ୍ୟତା ମଧ୍ୟରେ ଥିବା ପ୍ରଭେଦକୁ ଅବଲୋକନ କଲେ ଆମେ ଜାଣିପାରିବା ଆମ ପ୍ରଗତିର ପ୍ରବହମାନଧାରାକୁ । ଆମେ ଆଜି ଢେର ପ୍ରଗତିଶୀଳ ସମାଜର ମଣିଷ ବୋଲି ନିଜକୁ ବିଚାର କରୁଛେ । ମନୁଷ୍ୟର ବିପୁଳ ଅଭିଜ୍ଞତାରେ ପରିମାର୍ଜିତ ଚିନ୍ତାଧାରାର ପରିବର୍ତ୍ତିତ ରୂପରେଖକୁ ଆମେ ପ୍ରଗତିର ପରିଚୟ ରୂପେ ଯଦି ବିଚାର କରିବା, ତେବେ ଆମେ ଆଜି ପ୍ରଗତିର କେତେ ଆଢୁଆଳରେ ରହିଛେ ଜାଣିପାରିବା । ଆଜି ଆମ ଜୀବନଶୈଳୀ ଏକ ଯନ୍ତ୍ରବତ ପରିଚାଳିତ ଧାରାରେ ନିଜକୁ ବୁଝାମଣା କରି ଦିନରାତି ପ୍ରଗତିର ଡିଣ୍ଡିମ ପିଟି ଚାଲିଛି । ଅଧିକ ସମୟ ଅର୍ଥାତ ଆବଶ୍ୟକତା ଠାରୁ ଉର୍ଦ୍ଧରେ ଆମେ ଡିଜିଟାଲ ମିଡିଆ ମଧ୍ୟରେ ବୁଡିରହି ଏକାକିତ୍ଵ ଜୀବନକୁ ଅଧିକ ପସନ୍ଦ କରିଚାଲିଛେ । ଏହାର ବହୁଳ ଉପଯୋଗ ଦ୍ଵାରା, ମାନସିକ ଭାରସାମ୍ୟ ଅବ୍ୟବସ୍ଥିତ ହେବା ସହିତ ଆଧ୍ୟାତ୍ମିକ ଭାବ ତଥା ସ୍ନେହ, ପ୍ରେମ ଓ ଆତ୍ମୀୟତାର ମାହୋଲରୁ ଆମେ ଖୁବ ଦୂରକୁ ଚାଲିଯାଉଛେ । ଯାହାଦ୍ଵାରା ପ୍ରକୃତ ପ୍ରଗତିର ପଥରୋଧ ହୋଇଚାଲିଛି । ଯଦି ଆମେ ଏହି ଯନ୍ତ୍ରବତ ବିବର୍ତ୍ତନ ତଥା ନୂତନ ଅଭ୍ୟୁଦ୍ଦୋୟକୁ ପ୍ରଗତି ବୋଲି ଧରିନେବା, ତେବେ ସାମାଜିକ ଜୀବନ ଖାଲି ଅସଜଡା ହୋଇ ଚାଲିଥିବ ।

ଆମେ ସେଇଦିନ ପ୍ରଗତି କରିଛେ ବୋଲି ଅନୁଭବ କରିପାରିବା, ଯେଉଁଦିନ ଶାନ୍ତି, ପ୍ରେମ, ମୈତ୍ରୀ ଓ ଆତ୍ମୀୟତାର ବାତାବରଣ ଭିତରେ ସମାଜ ବ୍ୟବସ୍ଥିତ ହୋଇପାରିବ । ସାଂସ୍କୃତିକ ସଂହତି, ଆଧ୍ୟାତ୍ମିକ ଚେତନା ଓ ମାନବିକ ମୂଲ୍ୟବୋଧ ପ୍ରତିଷ୍ଠା ନିମନ୍ତେ ନିୟମିତ ଜୀବନଚର୍ଯ୍ୟାରେ ପରିବର୍ତ୍ତନର ଯଥେଷ୍ଟ ଆବଶ୍ୟକତା ରହିଛି ସାଂପ୍ରତିକ ସମାଜ ନିମନ୍ତେ । ଯାହାକି ଉତ୍ତର ଦାୟାଦ ମାନଙ୍କୁ ସ୍ନେହ, ପ୍ରେମ, ଶାନ୍ତି, ମୈତ୍ରୀ ଓ ଆତ୍ମୀୟତାର ବାତାବରଣ ମଧ୍ୟରେ ବାନ୍ଧିରଖିବା ନିମନ୍ତେ ସକ୍ଷମ ହେବ । ଆଉ ସେଦିନ ଆମେ ନିଜକୁ କହିପାରିବା ଖୁବ ପ୍ରଗତିଶୀଳ ବୋଲି । ଯଦି ଆମେ ଏହି ପରିବର୍ତ୍ତନକୁ ପ୍ରଗତି ବୋଲି ବିଚାର କରିବା, ତେବେ ବୈଜ୍ଞାନିକ ପ୍ରଗତି କେବେହେଲେ ଅଣାୟତ୍ତ ହେବନାହିଁ ଏହା ନିଃସନ୍ଦେହ । ବୈଜ୍ଞାନିକ ପ୍ରଗତିକୁ ଆମ ସାମଗ୍ରିକ ପ୍ରଗତିର ଆକ୍ଷା ଦେଇ ଯେତେଦିନ ଆମେ ଅନ୍ଧକୂପ ଭିତରେ ବୁଡି ରହିଥିବା, ସେତେଦିନ ପର୍ଯ୍ୟନ୍ତ ଆମେ ପ୍ରଗତିର ଡିଣ୍ଡିମ ପିଟା ଶବ୍ଦକୁ ଶୁଣି ଶୁଣି ଅଣନିଶ୍ଵାସୀ ପାଲଟି ଚାଲିଥିବା ।

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *