ମୁଁ ଲେଖକ ନୁହେଁ – ଶବ୍ଦପ୍ରେମୀ

ମୁଁ ନିଜକୁ କେବେ ଜଣେ ଲେଖକ ବୋଲି ବିବେଚନା କରେନାହିଁ । ଲେଖକଟିଏ ହେବାପାଇଁ ଅନବରତ ସାଧନା ସହିତ ଏକ ଶିଷ୍ଟ ଅଭ୍ୟାସ ରହିବା ଜରୁରୀ । ଲେଖକ ଶବ୍ଦ ହେଉଛି ଏକ ନିର୍ଦ୍ଦିଷ୍ଟ ପରିଭାଷା, ଦାୟିତ୍ୱବୋଧ ଏବଂ ନିରନ୍ତର ଅଭ୍ୟାସ । ମୋ ପାଖରେ ସେମିତି କିଛି ସାଧନା ନଥିଲେ ବି ଏହା ସତ ଯେ, ମୁଁ ଲେଖିବାକୁ ଭଲପାଏ । ଲେଖିବା ମୋ ପାଇଁ ଏକ ଅନୁଭବ ଓ ଆବେଗ । କେବେ ଦୁଃଖରେ ଲେଖିଯାଏ ତ କେବେ ଆନନ୍ଦରେ, ଆଉ କେବେ ମନର ଅବ୍ୟକ୍ତ ନୀରବତାରେ । ଯେତେବେଳେ ମୋ ମନ କିଛି କଥା କହିବାକୁ ଚାହେଁ, ସେତେବେଳେ ମୁଁ ମୋ ଭାବନାର ଅନନ୍ତ ରାଇଜ ଭିତରେ ଶବ୍ଦ ଗୁଡିକୁ ଖୋଜିବୁଲେ । ଆପେ ଆପେ ଅନେକ ଶବ୍ଦ ମାନେ ମଧ୍ୟ ମତେ ଧରା ଦିଅନ୍ତି ଆଉ ସେମାନେ ମୋ କଲମକୁ ଧରି କିଛି ସୃଷ୍ଟିକୁ ଉତ୍ତାରି ଦିଅନ୍ତି ଆଉ ମୋ ମନକୁ ବି ଖୁବ ହାଲୁକା କରି ଦିଅନ୍ତି ।

ଲେଖିବାର ଅସଲ ଅନୁପ୍ରେରଣା ହେଉଛି ଅନ୍ୟକୁ ପଢିବା ଓ ଶୁଣିବା । ନିକଟରେ ଆମ ରାଜ୍ୟ ସରକାରଙ୍କର ଗୋଟିଏ ସଭାରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଭାଷଣରୁ ଦିନେ ଶୁଣିଥିଲି “ଲେଖିବାକୁ ହେଲେ ଧାଡିଏ.. ପଢିବାକୁ ହେବ ଗାଡିଏ” । ବାସ୍ତବିକ ଏହି ଉକ୍ତି ମୋ ହୃଦୟକୁ ଖୁବ ଛୁଇଁଥିଲା ସେଦିନ । ପଢିବା ହେଉଛି ଏକ ସ୍ଵତନ୍ତ୍ର ଜଗତ । ଦୈନିକ ଅନ୍ୟକୁ ପଢିବା ହେଉଛି ମୋର ପ୍ରେରଣା ଆଉ ଲେଖିବା ହେଉଛି ମୋର ମୁକ୍ତି । ପୁସ୍ତକର ପୃଷ୍ଠା ଗୁଡିକୁ ଓଲଟାଇବା ବେଳେ ମୁଁ ଯୋଡି ହୋଇଯାଏ ଅନେକ ମନୁଷ୍ୟ, ଅନେକ ଜୀବନ ଓ ଅନେକ ଭାବନା ସହିତ । ସେତେବେଳେ ଅନ୍ୟମାନଙ୍କ ଶବ୍ଦ ଗୁଡିକ ମୋ ମନକୁ ଉଦ୍ବେଳିତ କରନ୍ତି, ବେଳେ ବେଳେ ମୋ ମନର ନୂଆ ଭାବନାରେ ମୋ କଲମରୁ ଲେଖାଟିଏ ହୋଇ ଉତୁରି ଆସନ୍ତି ।

ସେଥିପାଇଁ ମୁଁ ନିଜକୁ ଲେଖକ ବୋଲି ବିବେଚନା ନକଲେ ମଧ୍ୟ, ଶବ୍ଦସହିତ ମୋର ନିରନ୍ତର ସମ୍ପର୍କ ଅଛି । ଏବଂ ଏହି ସମ୍ପର୍କ ହେଉଛି ଆତ୍ମିକ, ଯାହା ନିଜ ମନର ଭାବନାକୁ ବୁଝିବା ଓ ତା’କୁ ଅଭିବ୍ୟକ୍ତ କରିବାର ଏକ ମାଧ୍ୟମ । ତେଣୁ ଶବ୍ଦ ମୋର ସାଥୀ ଓ ଲେଖା ମୋର ସ୍ପନ୍ଦନ ।

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *