ସୁଧୁରି ଯିବା

କେଡେ ମନଲୋଭା ପ୍ରକୃତିର ରଙ୍ଗ
ଯାଇଛି ମଣିଷ ଭୁଲି
ଅକାଳ ବିପତ୍ତି ଦୈବ ଦୁର୍ବିପାକ
ଆସିବ ନିଶ୍ଚୟ କାଲି

ସଚେତନ ନୁହେଁ ମଣିଷ ଜାତିଟା
ପାଲଟି ଯାଇଛି ଘାତକ
କାଟିଚାଲେ ଗଛ ଜୀବନର ଉତ୍ସ
ନିଜ ପଥ କରି କଣ୍ଟକ

ପ୍ରକୃତି ରାଣୀର ଆଭୁଷଣ ସିଏ
ସ୍ନିଗ୍ଧ ମଳୟର ଋତୁ
କାହିଁକି କେଜାଣି ଅବୁଝା ମଣିଷ
ପାଲଟିଯାଏ ତା ଶତ୍ରୁ

ନିରିମଳ ଜଳ ତା’ର ଅବଦାନ
ସଦା ଦେଉଥାଏ ଆମକୁ
ଗଛର ବିଚ୍ଛେଦେ ଫେରିଯାଏ ଜଳ
ସୁଦୂର ରସା ତଳକୁ

ବିଷମୟ ବାୟୁ ଆକଣ୍ଠ ପିଏ ସେ
ସାଜି ସତେ ନୀଳକଣ୍ଠ
ବାଣ୍ଟୁଥାଏ ସଦା ସୁଗନ୍ଧ ବାଯୁକୁ
ସତେ କି ଅଟେ ଅମୃତ

ତା ବିହୁନେ ଦିନେ ଧରଣୀ ମାଆର
କୋପ ହୋଇଯିବ ବୃଦ୍ଧି
ଗ୍ରୀଷମ ଜ୍ଵାଳାରେ ହୋଇଯିବ ଧ୍ଵଂସ
ନିଜକୁ ନକଲେ ଶୁଦ୍ଧି

ବରଷଟା ସାରା ଗ୍ରୀଷମର ଦାଉ
ଭୋଗିବ ଏଇ ମଣିଷ
ବେଳ ଥାଉ ଥାଉ ବନ୍ଧ ନବାନ୍ଧିଲେ
ନିଶ୍ଚେ ହୋଇବ ନିଃଶେଷ

ବରଷଟା ସାରା ବାତ୍ୟା ଓ ସୁନାମି
କରିବେ ତାଣ୍ଡବ ନୃତ୍ୟ
ସୂରୁଜ ଦେବତା ଅଗ୍ନି ବୃଷ୍ଟି କରି
ହେଉଥିବେ କୃତ୍ୟ କୃତ୍ୟ

ସୁଧୁରି ଯାଅରେ ଅବୁଝା ମଣିଷ
ଗଛକୁ କର ନିଜର
ପୁତ୍ର ସମ ତାକୁ କରିଣ ଆଦର
ବନ୍ଧ୍ୟା ଦୋଷ କର ଦୂର

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *