ନୂଆବର୍ଷର ଅଭିଜ୍ଞତା

ନଥିଲା କିଛି ନୂଆ
କେବଳ ଯୋଡି ହୋଇଯାଇଥିଲା
ଆଉ ଗୋଟିଏ ବର୍ଷର ଅଭିଜ୍ଞତା,
ସବୁ ଯେମିତି ଥିଲା ଆଜି ବି ସେମିତି
ଭାବିଥିଲି କିଛି ଗୋଟେ ନୂଆହେବ
ବଦଳିଯିବ ମଣିଷର ମନ
ପୃଥିବୀରେ ଭରିଯିବ ଆତ୍ମୀୟତା… ॥

ନଥିଲା କିଛି ଲାଭ
ପାଣି ଭଳି ବୋହିଗଲା
ଅର୍ଜିତ ଧନ ଗୁଡାକ,
ବିନିମୟରେ ହିଂସା ଆଉ ଦ୍ଵେଷ
ମାତାଲ ପାଲଟିଲା ଏ ମଣିଷ
ଆଉ ବେସୁରା ବି ହେଲା ପ୍ରେମର ସଙ୍ଗୀତ… ॥

ଭାବିଥିଲି ବଦଳିବ ପୃଥିବୀ
ପୁଣି ପୃଥିବୀରେ ମଣିଷର ମନ,
ହସି ଉଠିବ
ସ୍ନେହ-ପ୍ରେମ-ଶାନ୍ତି-ମୈତ୍ରୀ ର ପ୍ରୀତି ଉପବନ,
ନୂତନ ସୁର୍ଜ୍ୟୋଦୟର ମୁହୁର୍ତ୍ତରେ
କାନେ କାନେ ବାଜି ଉଠୁଥିବ
ବିଶ୍ଵଭାତୃତ୍ଵର ପବିତ୍ର ଗାନ… ॥

କାହିଁ କିଛିତ ବଦଳିଲା ନାହିଁ
ସବୁ ସେମିତି ରହିଗଲା ଅଧୁରା ଅଧୁରା
ଅଭିଜ୍ଞତାରୁ ବି ବୁଝିହେଲା ନାହିଁ
କେଉଁ ପୁରୁଣା କଥାଟା ବା ନୂଆ ହେଲା ?
ସବୁ ଯେ ସେମିତି ରହିଗଲା,
ଖାଲି ବଦଳିଥିଲା
ମୋ ଅଫିସର ଟେବୁଲ କାଚତଳୁ
ତାରିଖ ଲେଖାଥିବା ପୁରୁଣା କାଗଜଟା,
ଆଉ ଆମ ଘର କାନ୍ଥରେ
ଝୁଲୁଥିଲା ଖାଲି ନୂଆ କ୍ୟାଲେଣ୍ଡରଟା ॥

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *