ନିଃସଙ୍ଗ ଶାମୁକା

ଅବ୍ୟକ୍ତ ଏକ ସ୍ମୃତି । ଅବ୍ୟକ୍ତ ଏହି ଦୃଷ୍ଟିରୁ ଯେ, ଦୁନିଆ ସମକ୍ଷରେ ଚିତ୍ରଟି ସ୍ପଷ୍ଟ ହୋଇଥିଲେ ସୁଧା ସମସ୍ତଙ୍କ ବେପରୁଆ ମନୋଭାବ କିପରି ସ୍ମୃତିଟିକୁ ସତ୍ୟତାର ପୃଷ୍ଠଭୂମିରୁ ଦୂରକୁ ଠେଲିଦେଇ କାଳ୍ପନିକ କରି ଗଢି ତୋଳିଛି । ୧୯୯୨ ମସିହାର କଥା । ମୁଁ ଥାଏ ଓଡିଶାର ସୁନାମଧନ୍ୟ ରେଭେନ୍ସା ମହାବିଦ୍ୟାଳୟର ଛାତ୍ର । ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ନୂତନ ଛାତ୍ରାବାସରେ ଅବସ୍ଥାନ କରୁଥାଏ । ଦିନକର ଅପରାହ୍ନ, ହଠାତ ବୁଲିଯିବା ଲାଗି ମନ ଭିତରେ ଅଚାନକ ଖିଆଲ ସୃଷ୍ଟି ହେବାରୁ ଏକା ଏକା ଚାଲିଗଲି ମହାନଦୀର ବେଳାଭୂମିକୁ । ସ୍ରୋତସ୍ଵିନୀ ମହାନଦୀର ଜଳରାଶି ମଧ୍ୟରେ ହଜିଯାଇ ସେଠାକାର ସରଳ ମସ୍ଚ୍ୟଜିବୀ ମାନଙ୍କର ଜୀବନୀ ବିଶ୍ଳେଷଣ କରିବାକୁ ମୋ’ ମନ ଭିତରେ ଅଦ୍ଭୁତ ଚେତନା ଉଙ୍କି ମାରୁଥିଲା ସେଦିନ । ଅବଶ୍ୟ ଏହି ଦୃଷ୍ଟିରୁ ମୋର ସ୍ଵାତନ୍ତ୍ରତା ଥିଲା, କାରଣ ଅନ୍ୟମାନେ ଏହାକୁ ପସନ୍ଦ କରୁନଥିଲେ । ତେଣୁ ନୂତନତ୍ଵ ବିହୀନ ଜୀବନକୁ ଅନୁଭୂତି ସମ୍ପନ୍ନ କରିବାଲାଗି ନଦୀର କୂଳେ କୂଳେ ଅଗ୍ରସର ହେଲି ଆହୁରି ଆଗକୁ । ସବୁ ଯେପରି ମତେ ଶୁନସାନ ଜଣା ପଡୁଥିଲା । କିଛି ବାଟ ଅଗ୍ରସର ହେବା ପରେ ମୁଁ କ୍ଷଣିକ ପାଇଁ ସ୍ତବ୍ଧ ହୋଇ ଠିଆ ହୋଇଗଲି ଗୋଟିଏ ସ୍ଥାନରେ । ହଠାତ ଏକ କ୍ରନ୍ଦନ ଧ୍ବନୀ ମୋର କର୍ଣ୍ଣ ଗୋଚର ହେଲା । ମନ ଭିତରେ ଅନେକ କାଳ୍ପନିକ ଏବଂ ସତ୍ୟ ଭୌତିକ କଥାବସ୍ତୁ ସମୂହ ମାନଙ୍କ ଦ୍ଵନ୍ଦ ଭିତରେ ମୋର ଅସ୍ତିତ୍ଵ ହଜିଯିବା ଭଳି ମନେ ହେଉଥିଲା । ଭବିତବ୍ୟର ଅଜଣା ଆଶଙ୍କାରେ ଶିହରୀ ଉଠୁଥିଲି ମୁଁ । ତଥାପି ମନର ଜିଜ୍ଞାସାକୁ ଚାପିରଖି ନପାରି ରହସ୍ୟଟିକୁ ଉଦଘାଟନ କରିବା ନିମନ୍ତେ କିଛିବାଟ ଆହୁରି ଆଗକୁ ଅଗ୍ରସର ହେଲି । ଏକ ଅପ୍ରତ୍ୟାଶିତ ଦୃଶ୍ୟରେ ରୋମ ଟାଙ୍କୁରି ଉଠିଲା ମୋର । ଅଦୂରରରେ ଏକ ପ୍ରେତିନୀ ସଦୃଶ ସ୍ତ୍ରୀ ଲୋକଟିଏ ଆଖିବୁଜି କାନ୍ଦୁଥିବାର ଦେଖି ଆଶ୍ଚର୍ଯ୍ୟ ହେଲି । ତଥାପି ପରିସ୍ଥିତିକୁ ବିଶ୍ଳେଷଣ କରିବାକୁ ଯାଇ ଦେଖିଲି, ସ୍ତ୍ରୀ ଲୋକଟିର ନିକଟରେ କିଛି ବିକ୍ଷିପ୍ତ ଛିନ୍ନ ବସ୍ତ୍ର, ଅନ୍ୟାନ୍ୟ କେତୋଟି ଦଦରା ଆସବାବ ପତ୍ର ଏବଂ ଚେପା ସିଲିଭର ପାତ୍ରଟିରେ କିଛି ଶୁଖିଲା ଭାତ ସହ ଭଙ୍ଗା ସଢେଇଟିଏରେ କିଛି ଅପରିଷ୍କାର ପାଣି । ଯାହାକି ମନେ ହେଉଥିଲା ପୁରାତନ ପ୍ରସ୍ତର ଯୁଗର ଦାୟାଦ ଭଳି । ସ୍କେଲିଟନ ଉପରେ ମୋଚି ଯେମିତି ଚମଡାଟିଏ ସିଲେଇ କରିଦେଇଛି, ସେହିଭଳି ସ୍ତ୍ରୀ ଲୋକଟିର ଶରୀର ପ୍ରତୀୟମାନ ହେଉଥିଲା । ଅନେକ ଦିନରୁ ଭୁଭୁକ୍ଷା ମୁହଁଟିରେ ଏକ ବିପ୍ଳବାତ୍ମକ ଚାହାଣୀର ନିହିତ ପରିପ୍ରକାଶକୁ ମୁଁ ଏଡେଇ ଦେଇ ପାରୁନଥିଲି । ଚକ୍ଷୁ ଗୁଡିକ ସେଇଭଳି ସୁପ୍ତ ଥିଲା॰॰ କିନ୍ତୁ କାନ୍ଦ ଲାଗିରହିଥିଲା, ଶରୀରଟିଯେ କିପରି ନିର୍ବାକ-ନିସ୍ପନ୍ଦ ଆଉ ତରଙ୍ଗହୀନ ରହିଥିଲା ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ବୋଧହୁଏ କାନ୍ଦିବାଟା ତାର ନିଶ୍ଵାସ ପ୍ରଶ୍ଵାସ ପରି ଏକ ସ୍ଵାଭାବିକ ଜୀବନ ପ୍ରଣାଳୀରେ ପରିଣତ ହୋଇସାରିଥିଲା । ମୁଁ ଅନୁଭୋବ କରୁଥିଲି, ତା ମନ ଭିତରେ ଥିବା ଏକ ପ୍ରଚ୍ଛନ୍ନ ଆବେଗ ଯେପରି ପ୍ରକାଶ ପାଇବାଲାଗି ପଥ ଖୋଜି ଖୋଜି ବାଟବଣା ହୋଇଯାଇଛି , ହୁଏତ ବିପ୍ଲବ ! ସାଂସାରୀକ ଜୀବନର କିଛିଟା ଫିଲୋସଫି ତା’ ମନ ଭିତରେ ଭରି ହୋଇ ରହିଛି । ତା’ ମନ ଯେପରି ମୋ’ଠାରୁ ଏବଂ ସମସ୍ତଙ୍କ ଠାରୁ ଅଧିକ ପରିପକ୍ଵ । ସେତେବେଳକୁ ସମସ୍ତ ପ୍ରକାର ଭୌତିକ ଚିନ୍ତାରୁ ମୋ ମନ ଖୁବ ଦୂରକୁ ଚାଲିଯାଇଥାଏ । ସନ୍ଧ୍ୟା ମାଡିଆସିବାରୁ ଆଉ ବିଳମ୍ବ ନକରି ସେଦିନ ଫେରି ଆସିଲି ସେଠାରୁ ।

ତା’ପର ଦିନ କଲେଜରୁ ଫେରିବା ପରେ ଏକ ଅନୁସନ୍ଧିସ୍ଛୁ ମନନେଇ ପୁଣି ଚାଲିଗଲି ସେହି ରହସ୍ୟମୟ ସ୍ଥାନ ନିକଟକୁ । ସେଦିନ ସ୍ରୋତସ୍ଵିନୀ ମହାନଦୀ ଖୁବ ନୀରବ ମନେହେଉଥିଲା, ବାଯୁମଣ୍ଡଳ ସ୍ତବ୍ଧ ଥିଲା, କାନ୍ଦ ଶୁଭୁନଥିଲା । ସେହି ସ୍ତ୍ରୀ ଲୋକଟି କେବଳ ଅପଲକ ନଯନରେ ଚାହିଁ ରହିଥିଲା ମହାନଦୀର ନୀଳ ଜଳରାଶିକୁ ॰॰ । ହୁଏତ ମହାନଦୀ ସହିତ ସେ ତା’ର ଅତୀତର ହିସାବ ନିକାଶ କରୁଥିଲା ।

ବାବୁ ! ହଠାତ ଏକ ଅପରିଚିତା କଣ୍ଠସ୍ଵରରେ ଚମକି ପଡିଲି ମୁଁ । ମୋର ଉପସ୍ଥିତିକୁ ସେ ଅନୁଭୋବ କରିସାରିଥିଲା ବୋଧହୁଏ । ତେଣୁ ଏ ସମ୍ବୋଧନକୁ ସ୍ଵାଭାବିକ ମନେକରି ଏକ ବାଧ୍ୟ ଶିଶୁଟି ପରି ତା’ ନିକଟକୁ ଅଗ୍ରସର ହେଲି । ମୁଁ କିଛି କହିବା ପୂର୍ବରୁ ସେ ହଠାତ ପ୍ରଶ୍ନ କରିଉଠିଲା, “ଏହି ମହାନଦୀର ଜଳରେ ସବୁ ସତ କଣ ମିଛ ହୋଇଯାଏ ? ଏଠାରେ ପ୍ରତାରଣା ନକଲେ କଣ ଜୀବନର କ୍ଷତି ହୁଏ ??” ମୁଁ ଏପରି ଏକ ଆକସ୍ମିକ ପ୍ରଶ୍ନର ପ୍ରାସଙ୍ଗିକତାକୁ ବୁଝି ପାରୁନଥିଲି । ମୋର ଅକ୍ଷମତାକୁ ଅନୁଭୋବ କରି ଗପି ଚାଲିଲା ସ୍ତ୍ରୀ ଲୋକଟି॰॰ । “ଆମେତ ସରଳ ମୂରୁଖ ଲୋକ ବାବୁ, ଭଗବାନ ଆମକୁ ନା’ ଦେଇଛନ୍ତି ଧନ, ନା’ ଦେଇଛନ୍ତି ବଳ । ଆମର ପଣଅଜା ଅମଳରୁ ଏହି ମହାନଦୀ ଆମକୁ ପୋଷି ଆସିଛି । ଏଥିରୁ ମାଛ ଧରି ବଜାରରେ ବିକି ଆମ ଲୋକମାନେ ପେଟର ଭୋକ ମେଣ୍ଟାନ୍ତି, ଏହାଛଡା ଦୁନିଆଁରେ ଆମେ ଆଉ ଅଧିକା କିଛି ଜାଣୁନା । ଏଇମିତି ପ୍ରାୟ ତିରିଶି ବରଷ ତଳେ ବାବୁ ! ମୋ ଭାଇ ନାବ ନେଇ ମହାନଦୀ ଭିତରକୁ ଯାଇଥିଲା ମାଛ ଧରିବାକୁ । ମାଛ ଧରି ଫେରୁଛି, ଦେଖିଲା ଜଳସ୍ରୋତରେ ତୋରି ଭଳି ଜଣେ ବାବୁ ଭାସି ଆସୁଛି ଅସହାୟ ଭାବରେ । ପ୍ରତାରଣା ନକରି ନଦୀ ବକ୍ଷକୁ ଲମ୍ଫ ଦେଇ ମରଣ ମୁହଁରୁ ଛଡେଇ ଆଣିଲା ବାବୁକୁ । ଅନେକ ହେପାଜତରେ ବାବୁ ଆମ ଘରେ ରହି ଭଲହେଲା । ଆମେ ବାବୁକୁ ଆଉ କିଛିଦିନ ରହି ଦମ୍ଭ ହୋଇ ଯିବା ପାଇଁ କହିଲୁ । କିନ୍ତୁ ବାବୁର ସେଇ ଏକା ଜିଦ॰॰ ସୋଦରିକୁ ମୋ ସାଙ୍ଗରେ ଛାଡ ମୋ ସେବା କରିବା ଆଉ ସନିଆ ପାଇଁ ଚାକିରୀ କରେଇଦେବି, ତମର ଆଉ କିଛି ଅଭାବ ରହିବନି । ମୁଁ ସେତେବେଳକୁ ବାର କି ତେର ବରଷର ଛୋଟ ପିଲା, ସୋଦରୀ ମୋର ବଡ ଭଉଣୀ ଆଉ ସନିଆ ମୋର ବଡ ଭାଇ । ଆମେତ ସରଳିଆ ମୂରୁଖ ମଣିଷ, ବାବୁର କଥାରେ ଭଳିଯାଇ ତା’ ସାଙ୍ଗରେ ସୋଦରୀ ଆଉ ସନିଆକୁ ଛାଡିଦେଲୁ । ବାବୁ କହିଯାଇଥିଲା, ମୁଁ ଗଲାପରେ ଟଙ୍କା ପଠେଇବି॰॰ ତମେ ସୋଦରୀ ସନିଆର ଚିଠି ପାଇବ । ଆମେତ ପିଲାବେଳୁ ବା କୁ ହରାଇଥିଲୁ, ସେମାନେ ଗଲାପରେ ମାଆ ଓ ମୁଁ ଘର ହାମୁଡି ପଡିରହିଲୁ । ଅନେକ ବରଷ ବିତିଗଲାଣି ବାବୁ॰॰ ଏଇ ଆସି ତିରିଶି ବରଷ ହେଇଗଲା କିଛି ଖବର ନାହିଁ କି ଅନ୍ତର ନାହିଁ । ସେଇ ଚିନ୍ତାରେ ଅନେକ ଦିନ ତଳୁ ମାଆ ମୋର ମଲାଣି ହେଲେ ମୁଁ ଏଠି ଜଗି ବସିଛି॰॰ । ସେଇ ବାବୁ ଆମକୁ ଧୋକା ଦେଇଛି, ଆମ ସହ ବେଇମାନି କରିଛି ।“

ଏକା ରାହାରେ ଖୁବ ସରଳ ଭାଷାରେ ସବୁ କହିଯାଉଥିଲା ସେଇ ଜୀବନ୍ତ ମୂର୍ତ୍ତିଟି । ଦୁଇ ଧାର ଅଶ୍ରୁ ଗଡିଆସି ତାର ଗଣ୍ଡ ସିକ୍ତ କରୁଥିଲା । ତା’ ହୃଦୟର ନିଭୃତ ତନ୍ତ୍ରୀରୁ ସୃଷ୍ଟି ହେଉଥିବା କୋହକୁ ସେ ଚାପି ରଖିପାରୁନଥିଲା । ସେତେବେଳକୁ ମୋ’ ହୃଦୟଟା ସମବେଦନାରେ ଭରିଯାଉଥାଏ । ସତେ ଯେପରି ମୁଁ ମୋର ଅସ୍ତିତ୍ଵକୁ ଭୁଲିଯାଉଥିଲି । ମନେହେଉଥିଲା ଏକ କାଳ୍ପନିକ କଥାବସ୍ତୁ ସମୂହ ଯେମିତି ଏକ ନାଟକୀୟ ଢଙ୍ଗରେ ମୋ ସମ୍ମୁଖରେ ଘଟିଯାଉଛି । ତା’ର ଅଦମ୍ୟ ସହନଶୀଳତା ନିକଟରେ ମୋ ମସ୍ତକ ଆପେ ଆପେ ନତ ହୋଇଯାଉଥିଲା । ମୁଁ ଅନୁଭୋବ କରୁଥିଲି, ତା’ ନିକଟରୁ ଜୀବନ ହାରିଯାଇଥିଲା ଯେପରି । ସେ ଜୀବନଠାରୁ ଆହ୍ଵାନ କରୁଥିଲା ଏକ ନୂତନ ଚ୍ୟାଲେଞ୍ଜ । ମୁଁ ହଠାତ ଭାବାବେଗ ହୋଇ କହି ଉଠିଲି, “ତମକୁ ମୁଁ କିଛି ସାହାଯ୍ୟ କରିପାରିଲେ ଖୁବ ଖୁସିହେବି । ନାଇଁ ବାବୁ ! ସେପରି ଭୁଲ କାମ କେବେ କରନା । ଦେଖୁନୁ ଏଠାରେ ଆମେ ସାହାଯ୍ୟ କରି କଣ ପାଇଛୁ !! ତୁ ପଳା ବାବୁ॰॰ ସନ୍ଧ୍ୟା ମାଡିଆସିଲାଣି ।” ମୁଁ ଅନୁଭୋବ କରୁଥିଲି, ସତେଯେପରି ତା’ ସ୍ଵରରେ ପୁରି ରହିଥିଲା ବଇପ୍ଳବିକ ଦାମ୍ଭିକତା । କିଂ କର୍ତ୍ତବ୍ୟ ବିମୂଢ ହୋଇ ଫେରି ଆସିଲି ସେଦିନ ହଷ୍ଟେଲକୁ ।

ପ୍ରାୟ ଦୀର୍ଘ ଦୁଇମାସର ବ୍ୟବଧାନ ପରେ, ଦିନେ ମହାନଦୀର ବାଲୁକା ଶଯ୍ୟା ଉପରେ ବିଚରଣ କରୁଥିବା ସମୟରେ ସେହି ନିଃସଙ୍ଗ ଚରିତ୍ରଟି ବିଷୟରେ ଜାଣିବାଲାଗି ମନରେ କୌତୁହଳ ସୃଷ୍ଟି ହେବାରୁ ଆଗେଇ ଗଲି ସେହି ଆବିଷ୍କୃତ ସ୍ଥାନଟି ପାଖକୁ । ହେଲେ ସ୍ତ୍ରୀ ଲୋକଟି ସେଠାରେ ଆଉ ନଥିଲା॰॰ ହତୋସ୍ଛାହ ହୋଇ ଫେରି ଆସିଲି ଏବଂ ନିକଟରେ ମାଛ ମାରୁଥିବା ଜଣେ ମଶ୍ଚ୍ୟଜୀବିଙ୍କୁ ପ୍ରଶ୍ନ କଲି ସେଇ ନିଃସଙ୍ଗ ଚରିତ୍ରଟିକୁ ଠାବ କରିବା ପାଇଁ । ଉତ୍ତର ଆସିଲା॰॰ “ସେ ପାଗଳୀ ତ ସବୁବେଳେ ସେଠାରେ ବସିରହୁଥିଲା, ବେଳେ ବେଳେ ସହର ଭିତରକୁ ଯାଇ ୟାକୁ ତାକୁ ହାତ ପତାଏ ପେଟ ଚାଖଣ୍ଡକ ପାଇଁ । ଏବେ ଆଉ ପ୍ରାୟ ୧୫ ଦିନ ହେବ ସହର ଭିତରକୁ ଯାଉନଥିଲା॰॰ ବିଚାରୀ ଚାରି ପାଞ୍ଚ ଦିନ ତଳେ ଶୁଖି ଶୁଖି ମରିଗଲା ବାବୁ॰॰ ।“ ହଠାତ ସମାଜ ବିରୁଦ୍ଧରେ ମୋ ହୃଦୟଟା ତୀବ୍ର ପ୍ରତିବାଦ କରି ଉଠିଲା । ଉତ୍ତରରେ ସନ୍ତୁଷ୍ଟ ନହୋଇ ପୁଣି ଆଗେଇଲି ସେଇ ଜାଗାଟି ପାଖକୁ । କାରଣ ମୁଁ ନିଜେ ଦେଖିବାକୁ ଚାହୁଁଥିଲି ମୋର ସେଇ ଆବିଷ୍କୃତ ନିହିତ ସତ୍ୟଟିକୁ । ଅଦୂରରେ ରହି ଦେଖିଲି, ସମସ୍ତ ଆସବାବ ପତ୍ର ଇତଃସ୍ତତଃ ଅବସ୍ଥାରେ ପଡିରହିଥିଲେ । କିଛି ଦୂରରେ ସେହି ପୂତ୍ତିଗନ୍ଧମୟ ସହଚର ମାନଙ୍କ ମେଳରେ କଙ୍କାଳଟି କେବଳ ଶୋଇ ରହିଥିଲା । ଚମଡା ସିଲେଇ କରିଥିବା ଲୋକଟି ତାର ସେହି ଚମଡାକୁ କାଟି ନେଇଯାଇଛି ଯେପରି । ସବୁ ଯେପରି ନିର୍ବାକ॰॰ ନିସ୍ପନ୍ଦ॰॰ । ଅନେକ ଦିନ ଧରି ଜୀବନର ମୂଲ୍ୟବୋଧ ସହ ସଂଘର୍ଷ କରିବା ପରେ ସେ ଯେପରି ତା’ର ପ୍ରଶ୍ନର ଉତ୍ତର ପାଇଯାଇଛି । ସେତେବଳକୁ ସୂର୍ଯ୍ୟଦେବ ଅସ୍ତାଚଳ ଭିତରେ ସଂପୂର୍ଣ୍ଣ ଭାବେ ଲୁଚିଯାଇଥିଲେ, ନିର୍ଜନ ଆକାଶରେ କେତେଗୋଟି ନିଷ୍ପ୍ରଭ ନକ୍ଷତ୍ର ରିମ ଝିମ କରୁଥିଲେ । ନିକଟରେ କେତେଗୋଟି ଲୋମଛଡା ଭୋକିଲା କୁକୁର ମାନଙ୍କର ଆବାଜ ଆଉ କିଛି ଅନାମିକା ଚଢେଇର ପକ୍ଷଝାଡର ଶବ୍ଦ ମୋ ପଞ୍ଜରା ଥରାଇ ଦେଉଥିଲା । ଆଉ ସେଇ ଦିଗହଜା ଅନ୍ଧକାର ଭିତରୁ ମୁଁ କେବଳ ଚେଷ୍ଟା କରୁଥିଲି ସେଇ ନିଃସଙ୍ଗ ଶାମୁକାଟିକୁ ଠାବ କରିବାକୁ॰॰ ।

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *