ଶିକ୍ଷା ଜୀବନରେ ଛାତ୍ର ପାଇଁ ପରୀକ୍ଷା ହେଉଛି ଏକ ଆବଶ୍ୟକୀୟ ଅଂଶ । କିନ୍ତୁ ଆଜିର ସମାଜରେ ପରୀକ୍ଷାର ନମ୍ବରକୁ ହିଁ ଜଣେ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ଓ ପ୍ରତିଭାର ମାପକାଠି ଭାବେ ବିବେଚନା କରାଯାଉଛି । ଏହି ଧାରଣା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ପରୀକ୍ଷାରେ ଅଧିକ ନମ୍ବର ରଖିବା ଏକ ଭଲ କଥା, ହେଲେ ତାହା ଜୀବନରେ ସଫଳତାର ଏକମାତ୍ର ମାନଦଣ୍ଡ ନୁହେଁ । ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା, ନେତୃତ୍ୱ ଗୁଣ, ଯୋଗାଯୋଗ କ୍ଷମତା, ପରିଶ୍ରମ ଏବଂ ସକାରାତ୍ମକ ଦୃଷ୍ଟିଭଙ୍ଗୀ ହିଁ ଜଣେ ଛାତ୍ରକୁ ଜୀବନରେ ଆଗକୁ ନେଇଯାଏ ।
ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାରେ କମ ନମ୍ବର ପାଇଥାନ୍ତି । ଫଳ ପ୍ରକାଶ ପରେ ସେମାନେ ନିଜକୁ ଅନ୍ୟମାନଙ୍କ ତୁଳନାରେ ଛୋଟ ମନେ କରିଥାନ୍ତି । କେବେ କେବେ ପରିବାର, ସମାଜ ଓ ସାଙ୍ଗସାଥୀଙ୍କ ସହ ତୁଳନା ଯୋଗୁଁ ସେମାନଙ୍କ ଆତ୍ମବିଶ୍ୱାସ ମଧ୍ୟ ହ୍ରାସ ପାଇଥାଏ । କିନ୍ତୁ ଏହା ମନେ ରଖିବା ଉଚିତ ଯେ, ଗୋଟିଏ ପରୀକ୍ଷାର ଫଳାଫଳ କେବେବି ଜଣେ ଛାତ୍ରର ସମ୍ପୂର୍ଣ୍ଣ କ୍ଷମତାକୁ ପ୍ରକାଶ କରେନାହିଁ । ଜଣେ ଛାତ୍ର ଗଣିତରେ ଦୁର୍ବଳ ହୋଇପାରେ, କିନ୍ତୁ ସଙ୍ଗୀତ, ଚିତ୍ରକଳା, ଖେଳକୁଦ, ସାହିତ୍ୟ, ବିଜ୍ଞାନ ଉଦ୍ଭାବନ କିମ୍ବା ବ୍ୟବସାୟିକ କୌଶଳରେ ଅସାଧାରଣ ପ୍ରତିଭା ଅଧିକାରୀ ହୋଇଥାଇପାରେ ।
ଇତିହାସକୁ ପରକ୍ଷିଲେ ଜଣାପଡ଼େ, ଅନେକ ସଫଳ ବ୍ୟକ୍ତି ଶିକ୍ଷା ଜୀବନରେ ସବୁବେଳେ ଶ୍ରେଷ୍ଠ ନମ୍ବର ପାଇନଥିଲେ । କିନ୍ତୁ ସେମାନଙ୍କର ଆତ୍ମବିଶ୍ୱାସ, ନିଜ ଉପରେ ଭରସା ଏବଂ ନିରନ୍ତର ପ୍ରୟାସ ସେମାନଙ୍କୁ ଜୀବନରେ ଉଚ୍ଚ ସ୍ଥାନକୁ ପହଞ୍ଚାଇ ପାରିଥିଲା । ସଫଳତା କେବଳ ପୁସ୍ତକୀୟ ଜ୍ଞାନ ଉପରେ ନିର୍ଭର କରେନାହିଁ, ବରଂ ଜୀବନର ସମସ୍ୟାକୁ ସାମ୍ନା କରିବାର କ୍ଷମତା, ନୂତନ କିଛି ଶିଖିବାର ଇଚ୍ଛା ଓ କଠିନ ପରିଶ୍ରମ ଉପରେ ନିର୍ଭର କରେ ।
ଯେଉଁ ପିଲାମାନେ ପରୀକ୍ଷାରେ କମ ନମ୍ବର ପାଇ ପାସ୍ କରିଛନ୍ତି, ସେମାନେ କେବେବି ନିରାଶ ହେବା ଉଚିତ୍ ନୁହେଁ । ନିଜର ଆଉଟ୍ଲୁକ୍, ବ୍ୟକ୍ତିତ୍ୱ ଓ ଦକ୍ଷତାର ବିକାଶ ଉପରେ ଧ୍ୟାନ ଦେବା ଦରକାର । ଭଲ କଥାବାର୍ତ୍ତା, ନେତୃତ୍ୱ ଗୁଣ, କମ୍ପ୍ୟୁଟର ଜ୍ଞାନ, ସୃଜନଶୀଳ ଚିନ୍ତାଧାରା, ସମୟ ପରିଚାଳନା ଓ ଆତ୍ମବିଶ୍ୱାସ ଭଳି ଗୁଣ ଗୁଡ଼ିକ ଭବିଷ୍ୟତରେ ଅଧିକ ମୂଲ୍ୟବାନ ସାବ୍ୟସ୍ତ ହୋଇଥାଏ । ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ କେବଳ ନମ୍ବର ନୁହେଁ, ବରଂ ଦକ୍ଷତା ଓ ବ୍ୟକ୍ତିତ୍ୱ ହିଁ ସୁଯୋଗର ଦ୍ୱାର ଖୋଲିଥାଏ ।
ପିତାମାତା ଓ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ କେବଳ ନମ୍ବର ଆଧାରରେ ବିଚାର ନକରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରିବା ଉଚିତ୍ । ପ୍ରତ୍ୟେକ ଶିଶୁ ଅଲଗା ଓ ପ୍ରତ୍ୟେକଙ୍କ ମଧ୍ୟରେ କିଛି ନା କିଛି ବିଶେଷ ଗୁଣ ନିଶ୍ଚୟ ରହିଛି । ସେହି ଗୁଣର ବିକାଶ ହିଁ ତାଙ୍କର ଭବିଷ୍ୟତ ଗଢ଼ିବାର ସୁଯୋଗ ସୃଷ୍ଟି କରିଥାଏ ।
ପରିଶେଷରେ କୁହାଯାଇପାରେ ଯେ, ପରୀକ୍ଷାରେ ଅଧିକ ନମ୍ବର ରଖିବା ସଫଳତାର ଗୋଟିଏ ଦିଗ ହୋଇପାରେ ଏଥିରେ ଦ୍ୱିମତ ନାହିଁ, କିନ୍ତୁ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଗଢ଼ି ତୋଳିବା ଓ ସଫଳ ଜୀବନ ଧାରଣ କରିବାର ଏକମାତ୍ର ମାର୍ଗ ନୁହେଁ । କମ ନମ୍ବର ପାଇଥିବା ପିଲାମାନେ ନିଜକୁ କେବେବି ଛୋଟ ମନେ କରିବା ଉଚିତ୍ ନୁହେଁ । ନିଜର ଦକ୍ଷତାକୁ ଚିହ୍ନଟ କରି, ସକାରାତ୍ମକ ଆଉଟ୍ଲୁକ୍ ବୃଦ୍ଧି ଏବଂ ନିରନ୍ତର ପ୍ରୟାସ କରି ସେମାନେ ମଧ୍ୟ ଜୀବନରେ ବଡ଼ ସଫଳତା ହାସଲ କରିପାରିବେ । କାରଣ ଜୀବନର ପ୍ରକୃତ ପରୀକ୍ଷାରେ ଜିତିବା ପାଇଁ କେବଳ ନମ୍ବର ନୁହେଁ, ଦରକାର ହୁଏ ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ଓ ଅବିରତ ପରିଶ୍ରମ ।