ସଂସ୍କାର – ଜୀବନ ଗଠନର ମୂଳ

ମାନବଜୀବନର ସାମଗ୍ରିକ ବିକାଶ ପାଇଁ ‘ସଂସ୍କାର’ ହିଁ ମୂଳ ଆଧାର । ଜନ୍ମ ହେବା ସମୟରେ ମଣିଷ କୌଣସି କଥା ଶିଖି ଆସି ନଥାଏ । କିନ୍ତୁ ପରିବେଶ, ପରିବାର, ଶିକ୍ଷା ଓ ସମାଜ ତାକୁ ଯେପରି ଗଢ଼େ, ସେ ସେପରି ନିଜର ଚରିତ୍ର, ଆଚରଣ, ଉଚ୍ଚାରଣ ଓ ଜୀବନ ମୂଲ୍ୟବୋଧକୁ ବୁଝେ ଓ ପରିପ୍ରକାଶ କରେ । ଏହି ପ୍ରକ୍ରିୟାରେ ସଂସ୍କାର ହିଁ ଗୁରୁତ୍ୱପୂର୍ଣ୍ଣ ।

ସଂସ୍କାର କାହିଲେ ଆମେ କଣ ବୁଝୁ ? ସଂସ୍କାର କେବଳ ନୀତି ନିୟମ ଶିଖିବାର ପ୍ରଣାଳୀ ନୁହେଁ, ଏହା ସତ୍ୟ, ନୀତି, ନମ୍ରତା, ସଚ୍ଚୋଟତା, କୃତଜ୍ଞତା, ପରିଶ୍ରମୀ, ସହନଶୀଳତା ଓ ମାନବିକତା ଭଳି ଗୁଣଗୁଡ଼ିକୁ ଜୀବନରେ ପ୍ରୟୋଗ କରିବାକୁ ବାଟ କଢାଇଥାଏ । ଏହା ମଣିଷକୁ କେବଳ ଶିକ୍ଷିତ ନୁହେଁ, ସଂସ୍କୃତିସମ୍ପନ୍ନ ଓ ଦାୟିତ୍ୱବାନ ନାଗରିକଭାବେ ଗଢି ତୋଳେ।

ମାନବ ଜୀବନ ଗଠନରେ ସଂସ୍କାରର ଆବଶ୍ୟକତା ଜରୁରୀ । ଚରିତ୍ର ହେଉଛି ମାନବଜୀବନର ମୂଳଭିତ୍ତି । ସଂସ୍କାର ଠିକ୍‌ ନଥିଲେ ମଣିଷ ଯେତେ ଶିକ୍ଷିତ ହେଲେ ମଧ୍ୟ ସଫଳ ହୋଇପାରେ ନାହିଁ । ଭଲ ଚରିତ୍ର ମଣିଷକୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦିଏ । କାରଣ ସଂସ୍କାର ମଣିଷକୁ ସତ୍ୟପଥରେ ଚାଲିବା ଶିଖାଇଥାଏ । ଅନ୍ୟାୟ, ଅସତ୍ୟ ଓ ହିଂସା ଭଳି କୁପଥରୁ ଦୂରେଇ ରଖି ଜୀବନକୁ ଉନ୍ନତ କରେ । ସଂସ୍କାର ମଣିଷକୁ ସମ୍ମାନ, ସହାନୁଭୂତି, କରୁଣା ଓ କ୍ଷମାର ମୂଲ୍ୟବୋଧକୁ ବୁଝିବାରେ ସହଜ କରିଥାଏ । ଏହା ପରିବାର ଠାରୁ କର୍ମକ୍ଷେତ୍ର ସବୁଠି ଦୀର୍ଘସ୍ଥାୟୀ ସମ୍ପର୍କ ସୃଷ୍ଟି କରିବାରେ ଆପଣଙ୍କୁ ସକ୍ଷମ କରାଏ ।

ସଂସ୍କାର ବିନା ମଣିଷର ଶିକ୍ଷା ଅସମ୍ପୂର୍ଣ୍ଣ । କାରଣ କୌଣସି ବ୍ୟକ୍ତି ଯେତେବଡ ଜ୍ଞାନର ଅଧିକାରୀ ହୋଇଥିଲେ ସୁଧା, ଯଦି ସଂସ୍କାରବିହୀନ ହୋଇଥାନ୍ତି, ତେବେ ସେ ଜଣେ କୁ-ବ୍ୟକ୍ତି ହିସାବରେ ସମାଜରେ ପରିଚୟ ପାଇଥାନ୍ତି ।

ସଂସ୍କାର ମଣିଷକୁ ପରିଶ୍ରମୀ, ଧୈର୍ଯ୍ୟବାନ ଓ କର୍ତ୍ତବ୍ୟନିଷ୍ଠ କରେ । ଏବଂ ଏହି ଗୁଣଗୁଡ଼ିକ ମନୁଷ୍ୟ ଜୀବନରେ ସଫଳତାର ମୂଳ ଆଧାର । ସଂସ୍କାର କୌଣସି ଶାରୀରିକ ଶିକ୍ଷା ନୁହେଁ, ଏହା ମନ ଓ ଚେତନାର ଏକ ନୈତିକ ଶିକ୍ଷା । ଏହି ଶିକ୍ଷା ମଣିଷକୁ ସତ୍ୟ, ଧର୍ମ, ସହନଶୀଳତା, ଦୟା, କରୁଣା, ନମ୍ରତା ଓ କର୍ତ୍ତବ୍ୟନିଷ୍ଠତାର ମୂଲ୍ୟକୁ ବୁଝିବାରେ ସହାୟକ ହୁଏ । ସଂସ୍କାର ହେଉଛି ମଣିଷ ଜୀବନର ଏକ ଅମୂଲ୍ୟ ସଂପଦ । ଏହା ମଣିଷକୁ ମହାନ କରେ, ସମ୍ମାନିତ କରେ ଏବଂ ନୀତିମୟ ଜୀବନ ଜୀଇଁବାର ପଥକୁ ସୁଗମ କରେ ।

Laxminarayan

I am an Odia penner, web developer, and literary enthusiast dedicated to promoting Odia literature and culture through creative and digital expression.

Leave a Reply

Your email address will not be published. Required fields are marked *